ସୁମିରେ ଫସିଥିବା ଛାତ୍ରଙ୍କ ସହ ଚାଲିଛି ଯୋଗାଯୋଗ ଉଦ୍ୟମ: ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୦୫।୦୩: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଅନ୍ୟପଟେ ସେଠାରେ ଫସିଥିବା ଛାତ୍ରଙ୍କ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ଏହା ମଧ୍ୟରେ ଭାରତ ସରକାର ଦାବି କରିଛନ୍ତି, ଖାରକିଭରୁ ସମସ୍ତ ଭାରତୀୟଙ୍କୁ ବାହାର କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଶନିବାର କହିଛନ୍ତି, ୟୁକ୍ରେନରେ ଜାରି ଲଢେଇ ମଧ୍ୟରେ ବଡ ସଂଖ୍ୟାରେ ଭାରତୀୟ ୟୁକ୍ରେନ ଛାଡି ସାରିଛନ୍ତି।

ଯେଉଁ ଲୋକେ ଏବେ ବି ୟୁକ୍ରେନରେ ଫସି ରହିଛନ୍ତି, ସେମାନଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଉଛି। ସୁମି ଏବଂ କିଛି ଅନ୍ୟ ଅଞ୍ଚଳକୁ  ଛାଡି ଦେଲେ ଅଧିକାଂଶ ଭାରତୀୟ ସ୍ଵଦେଶ ଫେରି ସାରିଛନ୍ତି। ଯେଉଁମାନେ ଫସି ରହିଛନ୍ତି, ସେମାନେ ସେଲଟର ଭିତରେ ରହିବାକୁ ଅପିଲ୍ କରାଯାଇଛି। ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି।

ବିଶେଷ କରି ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଛନ୍ତି। ଅନ୍ୟପଟେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ  ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି ଯେ, ଏବେ ୟୁକ୍ରେନ ଲଢେଇ ଆଉ ଅଧିକ ଦିନ ଯିବନି। ରୁଷ ସୈନିକ ରାଜଧାନୀ କିଭ୍ ସମେତ ଦେଶର ସମସ୍ତ ବଡ ସହରରେ ଆକ୍ରମଣ ଜୋରଦାର କରି କ୍ଷେପଣାସ୍ତ୍ର ମାଡ ସହ ଘନ ଘନ ବୋମା ବର୍ଷଣ କରୁଛନ୍ତି। ୟୁକ୍ରେନ ସେନା ମଧ୍ୟ ଆରମ୍ଭରୁ ବାହାଦୂରୀ ସହ ରୁଷ ସୈନିକଙ୍କୁ କଡା ଟକ୍କର ଦେଉଛନ୍ତି। ଏହା ମଧ୍ୟରେ ଦାବି କରାଯାଉଛି ଯେ, ରୁଷ ସୈନିକଙ୍କ ସହ ଆର ପାର ଲଢେଇ ପାଇଁ ୟୁକ୍ରେନ ନାଗରିକ ବିଦେଶରୁ ଫେରୁଛନ୍ତି।

Spread the love