ଆସନ୍ତାକାଲି ବିଜୟ ଦିବସ ପାଳିବ ରୁଷ୍‌

ନୂଆଦିଲ୍ଲୀ: ଋଷ ଯୁକ୍ରେନ ଯୁଦ୍ଧ ଦୁଇ ମାସ ବିତିଗଲାଣି ଏବେବି ଯୁଦ୍ଧ ଚାଲିଛି। ନାଜି ଜର୍ମାନୀ ଉପରେ ମସ୍କୋର ବିଜୟ ପରିପ୍ରେକ୍ଷୀରେ ଆସନ୍ତାକାଲି ବିଜୟ ଦିବସ ପାଳିବ ରୁଷ୍‌। ଏହି ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବଡ଼ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ୟୁକ୍ରେନ୍‌ ଓ ପାଶ୍ଚାତ୍ୟ ଦେଶ ଗୁଡିକୁ ଭୟ ଘାରିଛି। ବିଜୟ ଦିବସ ପରେଡ୍‌ ପାଇଁ ଗତଶନିବାର ଅନୁଷ୍ଠିତ ସାମରିକ ରିହର୍ସଲରେ ରୁଷ୍‌ ଏହାର ପରମାଣୁ ମିସାଇଲକୁ ସାମିଲ କରିବା ପରେ ଯୁଦ୍ଧ ଭୟ ବଢିଛି।

ଏହି କ୍ରମରେ ବାଲଟିକ୍‌ ସାଗରରେ ରୁଷ୍‌ ସେନା ଆଣବିକ ଯୁଦ୍ଧାଭ୍ୟାସ କରି ଏ ସମ୍ପର୍କରେ ସଙ୍କେତ ଦେଇଛି। ମସ୍କୋର ରେଡ୍‌ ସ୍କୋୟାରରେ ଏହି ଥର୍ମୋନ୍ୟୁକ୍ଲିୟର ମିସାଇଲ୍‌ (ଆରଏସ୍‌-୨୪ ୟାର୍ସ ବାଲିଷ୍ଟିକ୍‌ ମିସାଇଲ୍‌) ଦେଖିବାକୁ ମିଳିଛି। ଏହାବ୍ୟତୀତ ରୁଷିଆର ପଶ୍ଚିମ ବାଗରେ କାଲିନିନ୍‌ଗ୍ରେଡ୍‌ ଠାରେ ମଧ୍ୟ ରୁଷ୍‌ ସେନା ଅଣୁଅସ୍ତ୍ର ସଂଯୋଜିତ କ୍ଷେପଣାସ୍ତ୍ର ପ୍ରୟୋଗର ଅଭ୍ୟାସ କରିଛନ୍ତି। ପ୍ରତିବର୍ଷ ରୁଷ ଏହି ବିଜୟ ଦିବସ ପାଳନ କରୁଥିଲେ ବି ଏବର୍ଷର ବିଜୟ ଦିବସ ଟିକିଏ ସ୍ବତନ୍ତ୍ର ବୋଲି କୁହାଯାଉଛି । କାରଣ ଏବେ ରୁଷ ସେନା ୟୁକ୍ରେନରେ ଯୁଦ୍ଧ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨ ମାସ ବିତିଯାଇଥିଲେ ବି ବିଜୟ ହାସଲ ତ ଦୂରର କଥା ରୁଷ ସେନା ଅନେକ କ୍ଷତି ସହିଛି । ଏଣୁ ନିଜ ସେନା ଓ ଦେଶବାସୀଙ୍କ ମନୋବଳ ଦୃଢ କରିବାକୁ ଏହି ବିଜୟ ଉତ୍ସବକୁ ପୁଟିନ ବ୍ୟବହାର କରିବେ ।

Spread the love