ରୁଷ୍‌ର ‘ୱାଣ୍ଟେଡ୍‌’ ତାଲିକାରେ ‘ମେଟା ପ୍ଲାଟ୍‌ଫର୍ମ’ର ମୁଖପାତ୍ର

ମସ୍କୋ: ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ର ମୂଳ କମ୍ପାନି ‘ମେଟା’ର ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ଙ୍କୁ ରବିବାର ଦିନ ରୁଷ୍‌ ‘ୱାଣ୍ଟେଡ୍‌’ ତାଲିକାଭୁକ୍ତ କରିଥିବା କଥା ରୁଷ୍‌ ସରକାରଙ୍କ ଅନ୍‌ଲାଇନ୍‌ ଡାଟାବେସ୍‌ରୁ ଜଣାପଡ଼ିଛି। ରବିବାର ଦିନ ରାଷ୍ଟ୍ରାୟତ ରୁଷୀୟ ନିଉଜ୍‌ ଏଜେନ୍‌ସି ‘ଟାସ୍‌’ ରିପୋର୍ଟ କରିଛି ଯେ, ‘ମେଟା’ କମ୍ୟୁନିକେସନ୍‌ ନିର୍ଦେଶକ ଷ୍ଟୋନ୍‌ଙ୍କୁ ରୁଷୀୟ ରା‌ଷ୍ଟ୍ରସଂଘର ‘କ୍ରିମିନାଲ୍‌ କୋଡ୍‌’ ଧାରା ଅନୁଯାୟୀ ‘ୱାଣ୍ଟେଡ୍‌’ ତାଲିକାଭୁକ୍ତ କରାଯାଇଛି।

ଏହାର କାରଣ ସଂକ୍ରାନ୍ତରେ କୌଣସି ବିବରଣୀ ଦିଆଯାଇ ନାହିଁ। କେବଳ ଏତିକି କୁହାଯାଇଛି ଯେ, ଷ୍ଟୋନ୍‌ଙ୍କୁ ଅପରାଧିକ ଅଭିଯୋଗରେ ଖୋଜାପଡ଼ିଛି। କିନ୍ତୁ, ଅକ୍ଟୋବର ମାସରେ ରୁଷ୍‌ର ସରକାରୀ କର୍ତ୍ତୃପକ୍ଷ ଏହି ଆମେରିକୀୟ ସାମାଜିକ ଗଣମାଧ୍ୟମ କମ୍ପାନି ‘ମେଟା’କୁ ଆତଙ୍କବାଦୀ ଓ ଉଗ୍ରବାଦୀ ସଙ୍ଗଠନ ଶ୍ରେଣୀଭୁକ୍ତ କରିଥିଲା। ଏ ସଂକ୍ରାନ୍ତରେ ‘ମେଟା’ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କିନ୍ତୁ, ରୁଷ୍‌ର ବିରୋଧୀ ଓ କାରାଗାର ବ୍ୟବସ୍ଥା ଉପରେ ସମ୍ବାଦ ପ୍ରସାରଣ କରୁଥିବା ସ୍ବାଧୀନ ନିଉଜ୍‌ ୱେବ୍‌ସାଇଟ୍‌ ‘‌ମିଡିଆଜୋନା’ ରିପୋର୍ଟ କରିଛି ଯେ, ୨୦୨୨ ଫେବ୍ରୁଆରିରେ ଷ୍ଟୋନ୍‌ଙ୍କୁ ‘ୱାଣ୍ଟେଡ୍‌’ ତାଲିକାଭୁକ୍ତ କରାଯାଇଥିଲା। ସେତେ‌ବେଳେ ରୁଷୀୟ ସରକାରୀ କର୍ତ୍ତୃପକ୍ଷ କିଂବା କୌଣସି ଗଣମାଧ୍ୟମ ଏ ସଂକ୍ରାନ୍ତରେ ରିପୋର୍ଟ କରି ନ ଥିଲେ।

ଚଳିତ ବର୍ଷ ମାର୍ଚ ମାସରେ ରୁଷ୍‌ର ‘ଫେଡେରାଲ୍‌ ଇନ୍‌ଭେଷ୍ଟିଗେଟିଭ୍‌ କମିଟି’ ‘ମେଟା’ ବିପକ୍ଷରେ ଅପରାଧିକ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ କରାଯାଇଥିଲା ଯେ, ୨୦୨୨ ଫେବ୍ରୁଆରି ୨୦ରେ ମସ୍କୋ ୟୁକ୍ରେନ୍‌ ଉପରେ ଆକ୍ରମଣ ବ୍ୟାପକ କରିବା ପରେ ‘ମେଟା’ର କାର୍ଯ୍ୟକଳାପ ରୁଷୀୟମାନଙ୍କ ବିରୋଧରେ ହିଂସା ଉଦ୍ରେକ କରିବା ଭଳି ମନେହୋଇଥିଲା।

Spread the love