ଜାତିସଂଘ ମାନବାଧିକାର ପରିଷଦରୁ ରୁଷ୍‍ ନିଲମ୍ବିତ

ଜେନେଭା:ଏବେବି ଋଷ-ୟୁକ୍ରେନ ଯୁଦ୍ଧ ଚାଲିଛି।ୟୁକ୍ରେନ୍‍ ସହର ବୁଚାରେ ରୁଷ୍‍ ସୈନ୍ୟମାନେ କରିଥିବା ଜଘନ୍ୟ ନରସଂହାର ଘଟଣାରେ ରୁଷ୍‍ ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହୋଇଛି।ଏହାକୁ ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରପକ୍ଷରୁ ରୁଷ୍‍କୁ ଏହି ଜାତିସଂଘ ପରିଷଦରୁ ନିଲମ୍ବିତ କରିବାକୁ ଅଣାଯାଇଥିବା ପ୍ରସ୍ତାବ ଉପରେ  ଗତକାଲି ମତଦାନ କରାଯାଇଛି।ପ୍ରସ୍ତାବ ସପକ୍ଷରେ ୯୩ ରାଷ୍ଟ୍ର ମତ ଦେଇଥିବାବେଳେ ବିରୋଧରେ ୨୪ଟି ମତ ପଡ଼ିଥିଲା। ତେବେ ଭାରତ ସମେତ ୫୮ଟି ରାଷ୍ଟ୍ର ମତଦାନରୁ ବିରତ ରହିଥିଲେ। ପୂର୍ବଭଳି ଭାରତ ନିରପେକ୍ଷ ନୀତି ଅବଲମ୍ବନ କରିଛି। ଅବଶ୍ୟ ଏହାକୁ ନେଇ ଭାରତ ଦୋଛକିରେ ପଡ଼ିଯାଇଛି।ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦ (ୟୁଏନ୍‍ଏଚଆର୍‍ସି)ରେ ଭୋଟିଂ ପୂର୍ବରୁ ଆମେରିକା ସରକାର ଭାରତକୁ ସତର୍କ କରାଇ କହିଥିଲେ ଯେ ୟୁକ୍ରେନ୍‍ ଉପରେ ରୁଷ୍‍ ଆକ୍ରମଣକୁ ନେଇ ନୂଆଦିଲ୍ଲୀ ଯେଉଁଭଳି ପ୍ରତିକ୍ରିୟା ରଖିଆସିଛି ତାହା ନୈରାଶ୍ୟଜନକ। ଭାରତ ସାମ୍ପ୍ରତିକ ପରିସ୍ଥିତିରେ ରୁଷ୍‍ର ନିକଟତର ହେବାକୁ ଆମେରିକା ନାପସନ୍ଦ କରିଛି। ଏଥିସହିତ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରେ ଭାରତ ରୁଷ୍‍ର ନରସଂହାରକୁ ନିନ୍ଦା କରି ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡିକ ଆଣିଥିବା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ୱାଶିଂଟନ କହିଛି। ତାହା ନହେଲେ ଆଗାମୀ ଦିନରେ ଭାରତ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି ହେବ ଏବଂ ନୂଆଦିଲ୍ଲୀ ତାହାର ପରିଣାମ ଭୋଗିବ।ଅନ୍ୟପକ୍ଷରେ ରୁଷ୍‍ ମଧ୍ୟ ଭାରତକୁ ଅନୁରୂପ ଧମକ ଦେଇଛି। ନିର୍ଦ୍ଦିଷ୍ଟ ଭାବରେ ଭାରତ ନାମ ନନେଇ ରୁଷ୍‍ କହିଛି ଯେ ମାନବାଧିକାର ସୁରକ୍ଷା ପରିଷଦରୁ ରୁଷ୍‍କୁ ବିତାଡିତ କରିବାକୁ ଭୋଟିଂ ସମୟରେ କୌଣସି ଅନୁପସ୍ଥିତ ରହିଲେ ଅଥବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ପ୍ରସ୍ତାବ ସପକ୍ଷରେ ଭୋଟଦେଲେ ତାହାକୁ ଅଣ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ବିବେଚନା କରାଯିବ। ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରେ ଉଦ୍‍ବୋଧନ ଦେଇ ଭାରତର ପ୍ରତିନିଧି ଟିଏସ୍‍ ତିରୁମୂର୍ତ୍ତି କହିଥିଲେ, ଭାରତ ଉଭୟ ଜାତିସଂଘ ମଧ୍ୟରେ ଏବଂ ବାହାରେ ଗଠନମୂଳକ କାର୍ଯ୍ୟ କରିଆସୁଛି ଏବଂ ଏହା ୟୁକ୍ରେନ୍‍ ଯୁଦ୍ଧରେ ଯଥାଶୀଘ୍ର ପରିସମାପ୍ତି ଘଟିବା ଚାହୁଁଛି। ପୂର୍ବରୁ ମଧ୍ୟ ଭାରତ ଜାତିସଂଘ ନିରାପତ୍ତା ପରିଷଦରେ ରୁଷ୍‍ ପ୍ରସଙ୍ଗରେ ହୋଇଥିବା ଭୋଟିଂରୁ ବିରତ ରହିଆସିଛି।ସୂଚନାଯୋଗ୍ୟ ୨୦୦୬ରେ ସ୍ଥାପିତ ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେବାରେ ରୁଷ୍‌ ହେଉଛି ଦ୍ବିତୀୟ ରାଷ୍ଟ୍ର। ଏହା ପୂର୍ବରୁ ଲିବିୟାକୁ ୨୦୧୧ରେ ନିଲମ୍ବିତ କରାଯାଇଥିଲା। ଦୀର୍ଘବର୍ଷ ଧରି ଏଠାରେ ରାଜନୈତିକ ଅସ୍ଥିରତା ପରେ ସ୍ବେଚ୍ଛାଚାରୀ ଶାସକ ମୁଆମ୍ବର ଗଦ୍ଦାଫିଙ୍କୁ କ୍ଷମତାଚ୍ୟୁତ କରିବା ସହ ହତ୍ୟା କରାଯାଇଥିଲା।

Spread the love