ଋଷର ରାସାୟନିକ ଅସ୍ତ୍ର ଯୋଗୁଁ ମାରିୟୁପୋଲରେ ମୃତାହତର ଆଶଙ୍କା

କିଭ୍ : ୟୁକ୍ରେନ୍ ଯୁଦ୍ଧକୁ ୪୮ ଦିନ ପୂରି ଆଜକୁ ୪୯ ଦିନରେ ପହଞ୍ଚିଛି।ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଇତି ମଧ୍ୟରେ ରୁଷ୍ ମାରିୟୁପୋଲ୍ରେ ଜୋରଦାର ଲଢ଼େଇ କରିଛି। ମାରିୟୁପୋଲ୍ରେ ରୁଷ୍ ରସାୟନିକ ଅସ୍ତ୍ର ବ୍ୟବହାର କରିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଅଭିଯୋଗ କରିଛନ୍ତି।

ୟୁକ୍ରେନ୍ର ଏଜୋବ୍ ରେଜିମେଣ୍ଟ୍ ରିପୋର୍ଟ ଆଧାରରେ ଜେଲେନ୍ସ୍କି ଏଭଳି ଅଭିଯୋଗ ଆଣିଛନ୍ତି। ମାରିୟୁପୋଲ୍ ଲଢ଼େଇ ପାଇଁ ନିୟୋଜିତ ହୋଇଥିବା ଏଜୋବ୍ ବାଟାଲିଅନ ମୁଖ୍ୟ କହିଛନ୍ତି, ରୁଷ୍ ସେନା ମାରିୟୁପୋଲ୍ର ଏକ ବିଶାଳ ପ୍ଲାଣ୍ଟ୍ରେ ଡ୍ରୋନ୍ ଆକ୍ରମଣ ସମୟରେ ବିଷାକ୍ତ ପଦାର୍ଥ ପକାଇଛି।

ଏଥିଯୋଗୁଁ କିଛି ସୈନିକ ଗୁରୁତର ଅସୁସ୍ଥ ହୋଇଛନ୍ତି।ସେମାନଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଛି। ସାଧାରଣ ଲୋକ ମଧ୍ୟ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି । ମାରିୟୁପୋଲରେ ଅନେକ ମୃତାହତ ଆଶଙ୍କା କରାଯାଉଛି । ମାରିୟୁପୋଲ୍ରେ ରୁଷ୍ ଆକ୍ରମଣ ଯୋଗୁଁ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ମାରିୟୁପୋଲ୍ ମେୟର କହିଛନ୍ତି। ଆଗକୁ ଏହି ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯିବ ବୋଲି ସେ କହିଛନ୍ତି।

ଋଷ୍ ସେନା ମଙ୍ଗଳବାର ସୁଦ୍ଧା ମାରିୟୁପୋଲ୍ ସହରକୁ ନିୟନ୍ତ୍ରଣ କରିବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହି ଲକ୍ଷ୍ୟ ହାସଲ ହୋଇନାହିଁ। ବ୍ରିଟେନ୍ ବିଦେଶ ସଚିବ ଲିଜ୍ ଟ୍ରସ୍ କହିଛନ୍ତି ରସାୟନିକ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯଦି ରୁଷ୍ ରସାୟନିକ ଅସ୍ତ୍ର ବ୍ୟବହାର କରିଥାଏ ତେବେ ପଶ୍ଚିମ ରାଷ୍ଟ୍ରମାନେ ଏହାର କଡ଼ା ଜବାବ ଦେବେ ବୋଲି ଟ୍ରସ୍ କହିଛନ୍ତି। ଆମେରିକା ମଧ୍ୟ ଉକ୍ତ ଘଟଣାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛି।

Spread the love