ନାଟୋର ପୋଲାଣ୍ଡରେ ଯୁଦ୍ଧାଭ୍ୟାସ ରୁଷକୁ କଡ଼ା ସଂକେତ

ଓ୍ବାର୍ସା : ୟୁକ୍ରେନ ଓ ରୁଷ ଯୁଦ୍ଧ ଚାଲିଥିବା ବେଳେ ୟୁରୋପର ସୁରକ୍ଷା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ନାଟୋକୁ ରୁଷ ଧମକ ଦେଇଥିବାବେଳେ ନାଟୋ ପକ୍ଷରୁ ୟୁକ୍ରେନକୁ ଲାଗିଥିବା ଦେଶ ପୋଲାଣ୍ଡରେ ଏକ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରାଯାଇଛି । ଏଥିରେ ହଜାର ହଜାର ନାଟୋ ସୈନ୍ୟ ଯୋଗ ଦେଇଛନ୍ତି ।ଏହାର ନାଁ ରଖାଯାଇଛି ଡିଫେଣ୍ଡର ୟୁରୋପ (ୟୁରୋପର ରକ୍ଷକ) ଓ ଏଥିରେ ୨୦ଟି ଦେଶର ପ୍ରାୟ ୧୮ ହଜାର ସୈନ୍ୟ ଯୋଗ ଦେଇଛନ୍ତି । କେବଳ ପୋଲାଣ୍ଡ ନୁହେଁ, ୟୁରୋପର ୮ଟି ଦେଶରେ ଏହି ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେଉଛି ।ତେବେ ଏହି ସମରାଭ୍ୟାସର ଫଟୋ, ଭିଡିଓ କିମ୍ବା ଏ ସଂପର୍କିତ ଖବର ପ୍ରସାରଣ ନ କରିବାକୁ ପୋଲଣ୍ଡ ସରକାର ନିଜ ଦେଶର ଗଣମାଧ୍ୟମକୁ ଓ ସେଠାରେ କାମ କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧ ଚାଲୁଥିବାବେଳେ ଏସଂପର୍କିତ ଖବର ସ୍ଥିତି ବିଗାଡ଼ିବାର ଆଶଙ୍କା ଥିବାର ପୋଲାଣ୍ଡ ସରକାର ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ।ଅନ୍ୟପକ୍ଷରେ ବିଶେଷଜ୍ଞମାନଙ୍କ ମତରେ, ୟୁରୋପର ଅନ୍ୟ ଦେଶମାନଙ୍କ ଉପରେ ରୁଷ ଆକ୍ରମଣ କରିବାକୁ ଧମକ ଦେଇଥିବାରୁ ନାଟୋ ପକ୍ଷରୁ ଏପରି ଯୁଦ୍ଧାଭ୍ୟାସ କରି ରୁଷକୁ କଡା ସଂକେତ ଦିଆଯାଉଛି ।

Spread the love