ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ଋଷୀୟ ପର୍ବତାରୋହୀଙ୍କ ବିରୋଧ, ମାଉଣ୍ଟ ଏଭରେଷ୍ଟ ଶିଖରରେ ଉଡାଇଲେ ୟୁକ୍ରେନ୍ ପତାକା

ନୂଆଦିଲ୍ଲୀ ୯: ଋଷୀୟ ପର୍ବତାରୋହୀ ତଥା ବ୍ଲଗର କାତ୍ୟା ଲିପକା ମାଉଣ୍ଟ ଏଭରେଷ୍ଟରେ ୟୁକ୍ରେନ୍‌ର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଋଷୀୟ ପର୍ବତାରୋହୀ ତଥା ବ୍ଲଗର ନିଜ ଦେଶ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ବର ସବୁଠୁ ବଡ ପର୍ବତର ଶିଖରରେ ୟୁକ୍ରେନ୍‌ର ପତାକା ଉତ୍ତୋଳନ କରିଛନ୍ତି ।

ପର୍ବତାରୋହୀ କାତ୍ୟା ଲିପକା ଗତ ଜୁନ୍ ୩ ତାରିଖରେ ଇନଷ୍ଟାଗ୍ରାମରେ ସେହି ସମୟର କିଛି ଫଟୋ ସେୟାର କରିଥିଲେ ଯାହା ଏବେ ଭାଇରାଲ ହେଉଛି । ପୋଷ୍ଟ ଅନୁସାରେ କାତ୍ୟା ୟୁକ୍ରେନ୍ ଉପରେ ଋଷ୍‌ ଆକ୍ରମଣ କରିବାର ୩ ମାସ ପରେ ମେ’ ୨୪ରେ ଏହି ସଫଳତା ହାସଲ କରିଛନ୍ତି । କାତ୍ୟା ତାଙ୍କ ପୋଷ୍ଟର କ୍ୟାପସନ୍‌ରେ ‘ଏଭରେଷ୍ଟର ଶିଖର ୮୮୪୮ ମିଟର’ ଲେଖିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ନେପାଳରୁ ଯାତ୍ରା ଆରମ୍ଭ କରିଥିବା ବେଳେ ୨.୫ ସପ୍ତାହରେ କାଠମାଣ୍ଡୁରୁ ଏଭରେଷ୍ଟ ଶିଖର ୮୮୪୮ ମିଟରରେ ପହଞ୍ଚିଥିଲି । ବିନା ପ୍ରସ୍ତୁତି ଏବଂ ଅନୁକୂଳ ବିନା ଛୋଟା ଗୋଡରେ ଏହା ସହଜ ନଥିଲା ।

୭ ବର୍ଷ ଯାଏଁ ଦେଶର ସେବା କରୁଥିବା ଅଷ୍ଟ୍ରିୟାରେ ୟୁକ୍ରେନ୍‌ର ପୂର୍ବତନ ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡର ଶେରବା ମଧ୍ୟ ପର୍ବତାରୋହୀଙ୍କ ଏକ ଫଟୋ ଟ୍ବିଟରରେ ସେୟାର କରିଛନ୍ତି । ସେ କହିଛନ୍ତି ଋଷୀୟ ପର୍ବତାରୋହୀ କାତ୍ୟା ଲିପକା ମାଉଣ୍ଟ ଏଭରେଷ୍ଟରେ ସଫଳତା ହାସଲ କଲେ ଏବଂ #PutinsWarର ବିରୋଧ କରି ୟୁକ୍ରେନ୍‌ର ପତାକା ଉତ୍ତୋଳନ କରିଥିଲେ ।

କେବଳ କାତ୍ୟା ନୁହଁନ୍ତି ଯିଏ ଯୁଦ୍ଧକୁ ବିରୋଧ କରୁଛନ୍ତି । ନ୍ୟୁଜଓ୍ବିକ୍‌ର ରିପୋର୍ଟ ଅନୁସାରେ, ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ବିଶେଷ ସୈନ୍ୟ ଅଭିଯାନର ଏହି ତିନି ମାସରେ ଋଷୀୟ ସମର୍ଥନ କମ୍ ହେଉଥିବାର ସଙ୍କେତ ମିଳୁଛି । ସେମାନଙ୍କ ମଧ୍ୟରୁ କିଛି ଋଷୀୟ ଅଧିକାରୀଙ୍କ ଇସ୍ତଫା ମଧ୍ୟ ସାମିଲ ରହିଛି ।

Spread the love