ମଣିଷ ଛୁଆକୁ ଶୀତ ରାତିରେ ବଞ୍ଚାଇଦେଲେ କୁକୁର ଶାବକ ଓ ମା ! ନୃଶଂସ ମଣିଷଠାରୁ ପଶୁମାନେ କେତେ ଭଲ ତାହା କୁହେ ଛତିଶଗଡ଼ର ଘଟଣା

ମୁଙ୍ଗେଲୀ ୨୧।୧୨: ଏବେ ଶୀତ ଋତୁ । ସବୁଆଡେ ଛୁଆ ଜନ୍ମ କରିଛନ୍ତି ବୁଲା କୁକୁର। ରାସ୍ତାଘାଟରେ ବୁଲୁଛନ୍ତି କୁକୁର ପିଲା। କେଉଁଠି କିଏ କୁକୁର ପିଲାଙ୍କ ଉପରେ ଗା଼ଡି ଚଢେଇ ଦେଲାଣିତ  ଆଉ କେଉଁଠି ଗାଡି ତଳକୁ ଚାଲିଯାଇ ପିଲାକୁକୁର ପ୍ରାଣ ହରାଉଛନ୍ତି। ଏଥିର ଏକ ବୁଲା କୁକୁର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଡିସେମ୍ବରର ଶୀତ ରାତିରେ ଖୋଲା ଆକାଶ ତଳେ କେହି ଛାଡିଯାଇଥିବା ଏକ ନବଜାତ ଶିଶୁ କନ୍ୟାକୁ ନିଜ ଶାବକଙ୍କ ଗହଣରେ ରାତି ତମାମ ନିଜ ଉଷୁମରେ ଜୀବିତ ରଖିବା କଥା ସମସ୍ତଙ୍କୁ ତାଜ୍ଜୁବ କରିଛି।

ପଶୁ ହେଲେ ବି ତାର ମମତା ଅଛି। ନିଜ ପିଲା ହେଉ କି ମଣିଷ ପିଲା ବେଶ ଯତ୍ନ ବି ନେଇପାରେ ଏପରିକି ପ୍ରାଣ ବି ରକ୍ଷା କରିଦେଇପାରେ। ଏମିତି ଏକ କାମ କରିଛି ଏକ ବୁଲା ମାଇ କୁକୁର। ସେ ପିଲା ଜନ୍ମ କରିବା ସ୍ଥାନ ନିକଟରେ କେହି ଜଣେ ଏକ ନବଜାତ ଶିଶୁ କନ୍ୟାଟିକୁ ଡିସେମ୍ବର ଶୀତ ରାତିରେ ଫୁଙ୍ଗୁଳା ମରିବାକୁ ଛାଡି ଚାଲିଯାଇଥିଲା। ହେଲେ ମାଇ କୁକୁର ଭିତରେ ଥିବା ମାଟି ଶିଶୁର ଜୀବନ ବଞ୍ଚାଇ ଦେଇଛି। ମଣିଷ ପିଲାଟି ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ଚାଇଲ୍ଡ ଲାଇନ ଶିଶୁଟିର ଆକାଙକ୍ଷା ନାମକରଣ କରିଛି।

ଘଟଣାଟି ଛତିଶଗଡ଼ ମୁଙ୍ଗେଲୀ ଜିଲ୍ଲା ଲୋରମୀ ଥାନା ସାରିସତାଲ ଗାଁର। କେହିଜଣେ ଖୋଲା ପଡିଆରେ ନବଜାତ ଶିଶୁଟିକୁ ବିବସ୍ତ୍ର ଛାଡି ଚାଲିଯାଇଥିଲା। ଏପରି କ୍ଷେତ୍ରରେ ବୁଲା କୁକୁର ପିଲାଟିକୁ ଖାଇଯିବା କଥା। ହେଲେ ଏଠାରେ ବ୍ୟତିକ୍ରମ ଦେଖାଯାଇଛି। ପାଖରେ ଛୁଆ ଜନ୍ମ କରିଥିବା ଏକ ବୁଲା କୁକୁର ଶୀତ ରାତିରେ ନିଜ ଛୁଆଙ୍କ ମଧ୍ୟରେ ମଣିଷ ଛୁଆକୁ ରାତି ତମାମ ଉଷୁମରେ ରଖିଥିଲା। ତା ପରଦିନ ସକାଳ ପ୍ରାୟ ୧୧ଟା ବେଳକୁ ଗ୍ରାମର ମୁନ୍ନା ଲାଲ ପଟେଲ ଶିଶୁର କୁଆଁ ରାବ ଶୁଣି ଯିବା ବେଳକୁ କୁକର ପିଲାଙ୍କ ମଝିରେ ପିଲାଟି ଫୁଙ୍ଗୁଳା ପଡି ରଡୁଥିବାର ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲା।

ଗାଁ ଲୋକେ ପହଞ୍ଚି ପିଲାଟିକୁ କୁକୁର ପିଲାଙ୍କ ମଧ୍ୟରୁ ବାହାରକୁ କାଢିଥିଲେ। ଏମିତିରେ କୁକୁର ପିଲାକୁ କାମୁଡିଦେବା କଥା। ହେଲେ ଏ କ୍ଷେତ୍ରରେ ସେପରି କିଛି ଦେଖାଯାଇନି। ପିଲାଟି କୁକୁର ପିଲାଙ୍କ ମଝିରେ ପୁରା ଅକ୍ଷତ ମିଳିଛି। ପରେ ପଞ୍ଚାୟତକୁ ସୂଚନା ଦିଆଯିବାରୁ ପଞ୍ଚାୟତ ଲରେମୀ ଥାନା ଓ ଚାଇଲ୍ଡ ଲାଇନକୁ ସୂଚିତ କରିଥିଲେ। ପୋଲିସ ପହଞ୍ଚି ଶିଶୁକୁ ତୁରନ୍ତ ଲରେମୀ ମାତୃଶିଶୁ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ଡାକ୍ତର ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ଘଟଣା ସାରା ଛତିଶଗଡ ରାଜ୍ୟରେ ଚହଳ ପକାଇଛି। ବୁଲା କୁକୁରଙ୍କୁ ତଡତଡ ମାରମାର କରୁଥିବା, ସେମାନଙ୍କୁ ବିଷ ଦେଇ ମାରିଦେବାକୁ  ଓ ବନ୍ଧ୍ୟାକରଣ ଲାଗି ପ୍ରସ୍ତାବ ଦେଉଥିବା ଲୋକଙ୍କୁ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଛି। ମାମଲାରେ ପୋଲିସ ଏକ ମୋକଦ୍ଦମା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି। ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ଆର.କେ.ଭିଜ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।  ଶିଶୁଟିର ଅଭିଭାବକଙ୍କୁ ଏବେ ତଲାସ କରୁଛି ପୋଲିସ।

Spread the love