ଡ୍ରାମା ନ କରି ଏସ୍‌ଆଇଟିରେ ହାଜର ହୋଇଥିଲେ ମୋଦି’ – ଶାହ

ନୂଆଦିଲ୍ଲୀ,୨୬/୦୬: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦେଇଥିବା କ୍ଲିନ୍‌ଚିଟ୍‌କୁ ଶୁକ୍ରବାର ସୁପ୍ରିମକୋର୍ଟ କାଏମ ରଖିଥିଲେ । ଦିବଂଗତ କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କ ପତ୍ନୀ ଜାକିୟା ଜାଫ୍ରି କରିଥିବା ପିଟିସନ୍‌କୁ ଖାରଜ କରିଦେଇଥିଲେ । ୨୦୧୨ରେ ଏସ୍‌ଆଇଟି ଦ୍ୱାରା ଦାଖଲ ରିପୋର୍ଟକୁ ବିରୋଧ କରି ଜାକିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଏ ଏମ୍‌ ଖାନୱିଲକରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ତାହାକୁ ଖାରଜ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇଛନ୍ତି ।

ସେ କଂଗ୍ରେସକୁ ଜୋରଦାର କଟାକ୍ଷ କରି କହିଛନ୍ତି, ଦଙ୍ଗା ମାମଲାରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍‌ଆଇଟି ସମ୍ମୁଖରେ ହାଜର ହେଉଥିଲେ । ଏହାକୁ ନେଇ କୌଣସି ପ୍ରକାର ଡ୍ରାମା କରୁ ନ ଥିଲେ କିମ୍ବା ଧାରଣା ଦେଉ ନ ଥିଲେ । ଏକ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଆଦର୍ଶ ଉଦାହରଣ ସୃଷ୍ଟି କରିଥିଲେ ଯେ କିଭଳି ସମ୍ବିଧାନକୁ ସମ୍ମାନ ଦିଆଯାଏ । ମୋଦିଜୀଙ୍କୁ ପଚରାଉଚରା ବେଳେ କେହି ବିକ୍ଷୋଭ କରି ନ ଥିଲେ । କର୍ମକର୍ତ୍ତାମାନେ (ବିଜେପିର) ମୋଦିଜୀଙ୍କ ସମର୍ଥନରେ ଏକାଠି ହୋଇ ନ ଥିଲେ । ଆମେ ଆଇନ ସହିତ ସହଯୋଗ କରିଥିଲୁ । ମୋତେ ବି ଗିରଫ କରାଯାଇଥିଲା । କିନ୍ତୁ ଏଥିପାଇଁ ବିକ୍ଷୋଭ କିମ୍ବା ଧାରଣା ଦିଆଯାଇ ନ ଥିଲା । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ପ୍ରଥମ ଥର ପାଇଁ ଏଭଳି କ୍ଲିନ୍‌ଚିଟ୍‌ ମିଳୁନାହିଁ । ଏହା ପୂର୍ବରୁ ବି ଅନେକ ଥର ମିଳିଛି ।

ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଦିନ ଧରି ଜେରା କରିଥିଲା । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତାଙ୍କଠାରୁ କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶାହ ଏହି ଘଟଣାକୁ ଆଧାର କରି କଂଗ୍ରେସକୁ କଟାକ୍ଷ କରିଥିବା କୁହାଯାଉଛି ।

  • ପ୍ରଶ୍ନ: ସୁପ୍ରିମକୋର୍ଟ ମୋଦିଜୀ ଏବଂ ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି । ଆପଣଙ୍କୁ କେମିତି ଲାଗୁଛି?
  • ଉତ୍ତର:ସର୍ବପ୍ରଥମେ କ୍ଲିନ୍‌ଚିଟ୍‌ ସଂକ୍ରାନ୍ତରେ କହିବାକୁ ଚାହିଁବି । ସୁପ୍ରିମ୍‌କୋର୍ଟ ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଆଉ ଅଭିଯୋଗ ଗୁଡ଼ିକ କ’ଣ ପାଇଁ ବ୍ୟର୍ଥ ଗଲା, ତାହା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଏହା ପ୍ରମାଣ କରିଛି ଯେ ଏହିସବୁ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ୧୮-୧୯ ବର୍ଷ ଧରି ଚାଲିଥିବା ଏହି ଲଢ଼େଇରେ ଦେଶକୁ ଜଣେ ଏତେ ବଡ଼ ନେତା ଗୋଟିଏ ବି ଶବ୍ଦ ନ କହି ସବୁ ଦୁଃଖକୁ ଭଗବାନ ଶଙ୍କରଙ୍କ ବିଷପାନ ଭଳି ଗଳାରେ ରଖି ଚୁପ୍‌ଚାପ୍‌ ସହିଚାଲିଥିଲେ । ମୋଦିଜୀ ଏହି ଦୁଃଖ ଚୁପ୍‌ଚାପ୍‌ ସହିଥିବା ମୁଁ ଅତି ନିକଟରୁ ଦେଖିଥିଲି । ଜଣେ ଦୃଢ଼ମନା ବ୍ୟକ୍ତି ହିଁ ଏଭଳି ଅଟଳ ରହିପାରିବ ।
  • ପ୍ରଶ୍ନ: ରାଜନୈତିକ ବୟାନ ଯୋଗୁ ଗୁଜରାଟ ଦଙ୍ଗା ବେଳେ ପୁଲିସ ଓ ଅମଲାତନ୍ତ୍ର ଅଧିକ କିଛି କରିପାରି ନ ଥିଲା କି?
  • ଉତ୍ତର: ବିଜେପିର ବିରୋଧୀ ରାଜନୈତିକ ଦଳ, କିଛି ନିଜସ୍ୱ ବିଚାରଧାରା ଧରି ରାଜନୀତିକୁ ଆସିଥିବା ସାମ୍ବାଦିକ ଏବଂ ଆଉ କିଛି ଏନ୍‌ଜିଓ ମିଳିତ ଭାବେ ଅଭିଯୋଗକୁ ବ୍ୟାପକ ମାତ୍ରାରେ ପ୍ରଚାରିତ କରିଥିଲେ । ଏମାନଙ୍କର ଇକୋସିଷ୍ଟମ୍‌ ଏତେ ମଜଭୁତ ଥିଲା ଯେ ଧୀରେ ଧୀରେ ମିଛକୁ ସମସ୍ତେ ସତ୍ୟ ମାନିନେଲେ ।
  • ପ୍ରଶ୍ନ:ସେତେବେଳେ ତ ଆପଣଙ୍କ ସରକାର ଦିଲ୍ଲୀ ଓ ଗୁଜରାଟରେ ଥିଲା । ତଥାପି ଏହି ଲୋକମାନଙ୍କର ନେଟ୍‌ୱର୍କ ଏତେ ସୁଦୃଢ଼ ଥିଲା କେମିତି?
  • ଉତ୍ତର: ଗଣମାଧ୍ୟମ କାର୍ଯ୍ୟରେ ଦଖଲ ଦେବା ଭଳି ମନୋବୃତ୍ତି ଆମ ସରକାର ପାଖରେ ଆଦୌ ନ ଥିଲା । ସେ ସମୟରେ ଯେଉଁ ଇକୋସିଷ୍ଟମ୍‌ ସୃଷ୍ଟି ହୋଇଥିଲା, ସେମାନେ ଗୋଟିଏ ମିଛକୁ ଏଭଳି ବଢ଼େଇ ଚଢ଼େଇ ଜନତାଙ୍କ ସାମ୍ନାରେ ଉପସ୍ଥାପନ କଲେ ଯେ ସମସ୍ତେ ମିଛକୁ ସତ ମାନି ବସିଥିଲେ ।
  • ପ୍ରଶ୍ନ: ସରକାର ଯଦି ଠିକ୍‌ ଥିଲେ, ତେବେ ଏସ୍‌ଆଇଟି ଗଠନର ଆବଶ୍ୟକତା କ’ଣ ଥିଲା?
  • ଉତ୍ତର: ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇ ନ ଥିଲେ । ଏକ ସ୍ୱେଚ୍ଛାସେବୀ ସଂଗଠନ (ଏନ୍‌ଜିଓ) ଏସ୍‌ଆଇଟି ଗଠନ ଲାଗି ଦାବି କରିଥିଲା । ଆମ ସରକାର କହିଥିଲା ଯେ ଆମେ ଏସ୍‌ଆଇଟିକୁ ନେଇ ଆଦୌ ବିବ୍ରତ ନୁହଁ । ଆଜି ଯେତେବେଳେ ରାୟ ପ୍ରକାଶ ପାଇଛି, ଏହା ସ୍ପଷ୍ଟ ହୋଇଯାଇଛି ଯେ ଜଣେ ପୁଲିସ ଅଧିକାରୀ, ଏକ ଏନ୍‌ଜିଓ ଏବଂ ଗୋଟିଏ ରାଜନୈତିକ ଦଳ ମାହୋଲକୁ ଗରମାଗରମ କରିବା ପାଇଁ ମିଥା ଅଭିଯୋଗକୁ ପ୍ରସାରଣ କରିଥିଲେ । ମିଥ୍ୟା ପ୍ରମାଣଗୁଡ଼ିକ ନିଷ୍ଫଳ ପାଲଟିଲା । ଏସ୍‌ଆଇଟି ସାମ୍ନାରେ ସେମାନେ ମିଥ୍ୟା ଜବାବ ଦେଇଥିଲେ । ଆଜି କୋର୍ଟଙ୍କ ନିଷ୍ପତ୍ତି ଏହା ପ୍ରମାଣିତ କରିଛି ଯେ ଦଙ୍ଗା ରୋକିବା ପାଇଁ ସରକାର ଭରପୂର ଉଦ୍ୟମ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଦଙ୍ଗା ରୋକିବା ଲାଗି ଅପିଲ୍‌ କରିଥିଲେ ।
  • ପ୍ରଶ୍ନ: କିନ୍ତୁ ଦଙ୍ଗାର କେବଳ ଅଭିଯୋଗ ହୋଇ ନ ଥିଲା? ଦଙ୍ଗା ମଧ୍ୟ ହୋଇଥିଲା…
  • ଉତ୍ତର: ଅଭିଯୋଗ ହୋଇଥିଲା ଯେ ଦଙ୍ଗା ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ଏବଂ ଦଙ୍ଗାରେ ରାଜ୍ୟ ସରକାରଙ୍କର ହାତ ଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ହାତ ଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ଦଙ୍ଗା ହୋଇଥିଲା ବୋଲି କିଏ ମନା କରୁଛି? ଦେଶରେ ଦଙ୍ଗା ଅନେକ ସ୍ଥାନରେ ହୋଇଥିଲା । କଂଗ୍ରେସ ଶାସନାଧୀନ କୌଣସି ୫ ବର୍ଷ ଓ ବିଜେପି ଶାସନାଧୀନ ୫ ବର୍ଷ ମଧ୍ୟରେ ତୁଳନା କରି ଦେଖାଯାଉ- କେତେ ଘଣ୍ଟା କର୍ଫ୍ୟୁ ହୋଇଥିଲା, କେତେ ଲୋକ ପ୍ରାଣ ହରାଇଥିଲେ, କେତେ ଦିନ ବନ୍ଦ ହୋଇଥିଲା ଏବଂ ଦଙ୍ଗା କେତେଦିନ ପର୍ଯ୍ୟନ୍ତ ଜାରି ରହିଥିଲା । ସେଗୁଡ଼ିକର ତୁଳନା କଲେ ଜଣାପଡ଼ିବ, କାହା ଶାସନ କାଳରେ ଅଧିକ ଦଙ୍ଗା ହୋଇଥିଲା । ଦଙ୍ଗା ହେବାର ମୂଳ କାରଣ ଗୁଜରାଟରେ ଗୋଟିଏ ଟ୍ରେନ୍‌କୁ ପୋଡ଼ିଦିଆଯାଇଥିଲା । ୬୦ ଲୋକଙ୍କୁ ଏବଂ ୧୬ ଦିନର ପିଲାକୁ ତା’ର ମାଆର କୋଳରେ ବସିଥିବା ଅବସ୍ଥାରେ ଜିଅନ୍ତା ପୋଡ଼ିଥିବା ମୁଁ ଦେଖିଛି । ମୁଁ ମୋ ହାତରେ ଅନ୍ତିମ ସଂସ୍କାର କରାଇଥିଲି । ଏହି କାରଣରୁ ଦଙ୍ଗା ହୋଇଥିଲା ଏବଂ ପରବର୍ତ୍ତୀ ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିଲା । ସରକାରଙ୍କ ବିରୋଧରେ ହୋଇଥିବା ଷ୍ଟିଙ୍ଗ ଅପରେସନ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା, ଯେଉଁସବୁକୁ କୋର୍ଟ ଖାରଜ କରିଦେଇଛନ୍ତି
Spread the love