ସାହାରା ମୁଖ୍ୟ ସୁବ୍ରତ ରାୟଙ୍କର ପରଲୋକ

ମୁମ୍ବାଇ: ଜଣାଶୁଣା ଶିଳ୍ପପତି ତଥା ସାହାରା ମୁଖ୍ୟ ସୁବ୍ରତ ରାୟଙ୍କର ଆଜି ପରଲୋକ ହୋଇଯାଇଛି | ଦୀର୍ଘଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିବା ସୁବ୍ରତଙ୍କର ମୁମ୍ବାଇରେ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଥିବାବେଳେ ମୃତ୍ୟୁବେଳକୁ ତାଙ୍କୁ ପଞ୍ଚସ୍ତରୀ ବର୍ଷ ହୋଇଥିଲା | ହୋଟେଲ ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ମିଡିଆ ପରି କ୍ଷେତ୍ରରେ ସେ ପାଦ ଦେଇଥିଲେ | ତେବେ ବହୁ କ୍ଷତି ହେତୁ ସୁବ୍ରତ ରାୟ କିଛି ବର୍ଷ ପୂର୍ବେ ସାହାରା ଏୟାରଲାଇନ୍ସକୁ ବିକ୍ରି କରିଥିଲେ। ଉଲ୍ଲେଖ ଥାଉ କି ନିବେଶକଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ସାହାରା ଗ୍ରୁପ୍ ଓ ସେବି ମଧ୍ୟରେ ବିବାଦ ଲାଗି ରହିଛି |

ଏହି ମାମଲାରେ ସୁବ୍ରତ ରାୟ ଦାବି କରିଥିଲେ ଯେ ସେ କିଛି ଭୁଲ କରିନାହାଁନ୍ତି। କୋର୍ଟ ଅବମାନନା ଅଭିଯୋଗରେ ସୁବ୍ରତ ରାୟଙ୍କୁ ୨୦୧୪ରେ ଗିରଫ କରାଯାଇଥିଲା। ୨୦୧୬ ପରଠାରୁ ସେ ଜାମିନରେ ଥିଲେ । ୨୦୧୨ ମସିହାରେ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ସୁବ୍ରତ ରାୟଙ୍କ ନାମରେ ଅଭିଯୋଗ ଆଣିଥିଲା | ବଜାର ନିୟମ ଉଲ୍ଲଂଘନ କରି ଚିଟ୍ ଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କଠାରୁ ଟଙ୍କା ଜମା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଏବଂ ପରେ ସୁବ୍ରତ ରାୟଙ୍କୁ ଏହି ମାମଲାରେ ଦୀର୍ଘ ସମୟ ଧରି ଜେଲରେ ରହିବାକୁ ପଡିଥିଲା |

ସେତେବେଳେ ସେବି ସୁବ୍ରତ ରାୟଙ୍କୁ ୨୫୭୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ୨୦୨୦ ରେ, ସୁବ୍ରତ ରାୟଙ୍କୁ ସୁଧ ସହିତ ମୋଟ ୬୨୬୦୦ କୋଟି ଟଙ୍କା ଫେରସ୍ତ କରିବାକୁ ସେବି କୋର୍ଟଙ୍କୁ କହିଥିଲା ​​ଏବଂ ଯଦି ଏହା କରା ନ ଯାଏ ତେବେ କୋର୍ଟ ସୁବ୍ରତ ରାୟଙ୍କ ପାରୋଲକୁ ବାତିଲ କରିବାକୁ ଦାବି କରିଥିଲା।

Spread the love