ବଢୁଛି ରକ୍ତର ଅଭାବ, ୧୭ ଥାଲେସେମିଆ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ସହିଦ ଭଗତ ସେନା

ଭଦ୍ରକ  : ରକ୍ତର ବିକଳ୍ପ ନାହିଁ । ନା ରକ୍ତ ବଦଳରେ ଅଛି କୌଣସି ଔଷଧ ନା ଅଛି କୌଣସି ପ୍ରକାର ନିଦାନ , ବିକଳ୍ପ କେବଳ ହିଁ ରକ୍ତ । କେତେକ ରୋଗୀଙ୍କୁ  ମାସକୁ ଦୁଇ ୟୁନିଟ ରକ୍ତର ଆବଶ୍ୟକତା ରହିଛି । ଏମିତି ରୋଗୀଙ୍କ ପାଇଁ ଏବେ ସେବା ଯୋଗାଉଛି ଭଦ୍ରକର ସହିଦ ଭଗତ ସେନା । ୧୭ ଥାଲେସେମିଆ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛି । ଏହିସହିତ ରକ୍ତ ମଧ୍ୟ ଯୋଗାଉଛି ।ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ହେଉଛି ସହିଦ ଭଗତ ସେନା । ବନ୍ୟା , ବାତ୍ୟା ଠାରୁ ଘର ପୋଡି ହେଉ କିମ୍ବା ମେଡିକାଲରେ ଅସହାୟଙ୍କ ସେବା , ପ୍ରାୟ ସବୁଠି ମିଳନ୍ତି ଏହି ସଂଗଠନର ସଦସ୍ୟ । ଭଦ୍ରକ ଜିଲ୍ଲାରେ ସମୁଦାୟ ୪୩୬ ଜଣ ଥାଲେସେମିଆ ରୋଗୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଶିଶୁ ରହିଛନ୍ତି । ଅନେକ ଥାଲେସେମିଆ ରୋଗୀଙ୍କୁ ମାସକୁ ଦୁଇ ୟୁନିଟ ରକ୍ତର ଆବଶ୍ୟକତା ରହିଛି । ଏମାନଙ୍କ ମଧ୍ୟରୁ  ୧୭ ଜଣ ଥାଲେସେମିଆ ରୋଗୀଙ୍କର ବିରଳ ଗ୍ରୁପର ରକ୍ତର ଆବଶ୍ୟକତା ରହିଛି । ଏହି ୧୭ ଜଣଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛି ସହିଦ ଭଗତ ସେନା । ସଂଗଠନର ସଦସ୍ୟ ମାନେ ଆବଶ୍ୟକତା ମୁତାବକ ରକ୍ତଦାନ କରିଥାନ୍ତି । ଆବଶ୍ୟକ ହେଲେ ଡାଟାବେଶ ଅନୁଯାୟୀ ଆବଶ୍ୟକ ଥିବା ଗ୍ରୁପର ରକ୍ତଦାତାଙ୍କୁ ଯୋଗାଯୋଗ କରି ରକ୍ତଦାନ ପାଇଁ ଅନୁରୋଧ କରିଥାନ୍ତି ।ସେହିପରି ଅନେକ ଥାଲେସେମିଆ ରୋଗୀ ଜିଲ୍ଲା ରକ୍ତ ଭଣ୍ଡାରରୁ ରକ୍ତ ନେଇଥାନ୍ତି । ଏହି ରୋଗୀଙ୍କ ପାଇଁ ପ୍ରତ୍ୟେକ ମାସ ରକ୍ତର ଆବଶ୍ୟକତା ରହିଛି । ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହେଉନଥିବାରୁ ରୋଗୀ ହନ୍ତସନ୍ତ ହୁଅନ୍ତି । ଏମିତି କ୍ଷେତ୍ରରେ ସହିଦ ଭଗତ ସେନାର ବିରଳ ଗ୍ରୁପର ରକ୍ତଦାତା ମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କରିଥାନ୍ତି ।ଭଦ୍ରକ ଜିଲ୍ଲା ରକ୍ତଭଣ୍ଡାର ମାସକୁ ପ୍ରାୟ ୧୫ ଶହ ୟୁନିଟ ରକ୍ତର ଆବଶ୍ୟକତା ରହିଛି , କିନ୍ତୁ ୧୩ ସହ ୟୁନିଟ ରକ୍ତ ସଂଗ୍ରହ ହୋଇଥାଏ । ରକ୍ତଦାନ ଶିବିରରୁ ସଂଗୃହିତ ରକ୍ତ ମଧ୍ୟ ବେଳେ ବେଳେ ଆବଶ୍ୟକତା ପୂରଣ କରିପାରେନାହିଁ । ଏମିତି କ୍ଷେତ୍ରରେ ସାଧାରଣ ରୋଗୀଙ୍କ ରକ୍ତର ଆବଶ୍ୟକତା ପୁରଣ ପରେ ଥାଲେସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ଯୋଗାଡ଼ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏଭଳି କ୍ଷେତ୍ରରେ ସହିଦ ଭଗତ ସେନାର ଏହି ରକ୍ତଦାତାଙ୍କ ପାଇଁ ବହୁ ଥାଲେସେମିଆ ରୋଗୀଙ୍କ ଚିକିତ୍ସା ସୁଫଳ ପାଆନ୍ତି ।

Spread the love