ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ଭୁବନେଶ୍ୱରର ତିନି ସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀ

ଆଜି ବି ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଥିବାର ଦେଖିବାକୁ ମିଳିଛି। ସପ୍ତାହର ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ବିଏମସିର ନିଷ୍ପତ୍ତି ଅନୁଯାୟୀ ଆଜି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି । ସୂଚନାଯୋଗ୍ୟ, ବିଏମସି , ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮ ଶହ କର୍ମଚାରୀ କାମ କରୁଛନ୍ତି ।
ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ,ଏଥିନେଇ ଏକ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନ । ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ । କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ ରହିବେ ଓ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବ ବୋଲି ବିଏମସି କମିସନର କହିଛନ୍ତି ।
ଏବେ ପ୍ରତି ଶୁକ୍ରବାର ସାଇକେଲ୍ ବାର । ବିଏମସି, ବିଡିଏ ଓ ବିଏସସିଏଲରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକେଲରେ ଆସିବା ବାଧ୍ୟତାମୂଳକ କରାଯାଇଛି । ଗତ ଶୁକ୍ରବାରରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇସାରିଛି । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି ।

Spread the love