ହୋମଯଜ୍ଞରେ କମ୍ପୁଛି ଖଣ୍ଡଗିରି କୁମ୍ଭମେଳା : ବାବାଙ୍କ ପାଖରେ ଏକାଠି ହେଉଛନ୍ତି ଭକ୍ତ

ହୋମଯଜ୍ଞରେ କମ୍ପୁଛି ଖଣ୍ଡଗିରି କୁମ୍ଭମେଳା । ସାଧୁସନ୍ଥମାନେ ନିଜ ନିଜ ସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି । କିଏ ଚିଲମ୍ ଟଣାରେ ବ୍ୟସ୍ତ ତ ଆଉ କିଏ ମନ୍ତ୍ରୋଉଚ୍ଚାରଣରେ ମଗ୍ନ । ସାରା ବିଶ୍ୱରୁ ବହୁ ସାଧୁସନ୍ଥ ଆସି ଯୋଗଦେଇଛନ୍ତି । ଏଥର ବହୁ ସଂଖ୍ୟକ ବାବାଙ୍କ ସମାଗମ ହୋଇଛି । ସେହିପରି ରାତିରେ କିଣାକିଣି କରିବା ପାଇଁ ଲୋକଙ୍କ ଭିଡ ଜମୁଛି । ଆଜି ରବିବାର ଥିବାରୁ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । ହଜାର ହଜାର ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେହିପରି ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯାତ୍ରା ମହାକୁମ୍ଭ । ମୋଟ୍ ୬ଟି ପେଣ୍ଡାଲରେ ନାଟକ ପରିବେଷକୁ ଅନୁମତି ମିଳିଛି । ଏଥିରେ ୧୧ଟି ପାର୍ଟି ସାମିଲ ହେବେ । କାଲିଠାରୁ ତିନିଟି ପେଣ୍ଡାଲରେ ଯାତ୍ରା ପରିବେଷଣ କରାଯିବ । ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ପାଇଁ ମୋଟ୍ ୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୨ ପ୍ଲାଟୁନ୍ ଫୋର୍ସକୁ କେବଳ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଭିଡକୁ ଦୃଷ୍ଟିରୁ ରଖି ଖଣ୍ଡଗିରି ଓ ଉଦୟଗିରି ମଝି ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଗାଡି ଯାଆସ କରିବା ପାଇଁ ବାରଣ କରାଯାଇଛି ।

Spread the love