ରଥଯାତ୍ରାବେଳେ ଲାଇନ୍ କଟିବନି: ଶକ୍ତି ମନ୍ତ୍ରୀ

ଭୁବନେଶ୍ବର : ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରଥଯାତ୍ରା ସମୟକୁ ମୌସୁମୀ ଆସି ଯାଇଥିଲେ ବି ପିକ୍‌ ଆୱାର ମେଗାୱାଟ୍ ବିଦ୍ୟୁତ ଯୋଗାଣ ହେବ। ଆବଶ୍ୟକ ପଡ଼ିଲେ ଅଧିକ ବିଦ୍ୟୁତ କିଣି ବିତରଣ କମ୍ପାନି ଯୋଗାଇବେ। ଏହାବ୍ୟତୀତ ବିଦ୍ୟୁତ ଟ୍ରାନ୍ସଫର୍ମର ଚେକିଂ, ଲୋଡିଂ ଓ ଲାଇନ୍ ଚେକିଂ କରାଯିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଦ୍ୟୁତ ସରବରାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯିବ। ଯେହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେବ, ଏହାକୁ ନଜରରେ ରଖି ବିତରଣ କମ୍ପାନି ଯଥା ଟିପିସିଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଡବ୍ଲ୍ୟୁଡିଏଲ୍ ବିଦ୍ୟୁତ ଯୋଗାଣ ଉପରେ ସଜାଗ ରହିବେ। ପୁରୀ ରଥଯାତ୍ରା ପାଇଁ ଟିପିସିଓଡିଏଲ୍ ଅଧିକ ଯତ୍ନବାନ୍ ହେବାକୁ କୁହାଯାଇଛି।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରିପ୍ରେକ୍ଷୀରେ ଶକ୍ତି ଓ ଶିଳ୍ପ ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଧାର୍ଯ୍ୟ ସମୟରେ ଉଭୟ ବିଭାଗର ପ୍ରକଳ୍ପ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ, ଗ୍ରୀଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍‌ର ନିର୍ଦ୍ଦେଶକ(ଅପରେସନ୍), ଟିପିଡିଓସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Spread the love