ସମ୍ବଲପୁର ଲୋକସଭା ରାଜନୀତି: ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦ୍ବରେ ୩ ଦଳ

ସମ୍ବଲପୁର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଚୟନକୁ ନେଇ ୩ ପ୍ରମୁଖ ଦଳ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି। ସଂପୃକ୍ତ ଦଳଗୁଡ଼ିକ ଏଥର ବି ଗତଥରର ପ୍ରାର୍ଥୀଙ୍କୁ ଟିକେଟ ଦେବେ ନା’ ନୂଆ ମୁହଁକୁ ମଇଦାନକୁ ଆଣିବେ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।

ଗତ ୨୦୧୪ ‌ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ବିଜେପିର ଟାଣୁଆ ନେତା ସୁରେଶ ପୂଜାରୀଙ୍କୁ ପରାଜିତ କରିଥିଲେ। ଅନୁଗୁଳ ଅଞ୍ଚଳର ‌ନେତା ନଗେନ୍ଦ୍ରଙ୍କ ବିଜୟ ପଛରେ ଅନୁଗୁଳ ଜିଲ୍ଲାର ୨ ବିଧାନସଭା କ୍ଷେତ୍ର ଛେଣ୍ଡିପଦ‌ା ଓ ଆଠମଲ୍ଲିକର ଭୋଟ ସହାୟକ ହୋଇଥିଲା। ତେବେ, ୨୦୧୯ ମସିହା ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଜନ୍ମିତ ଓ ସମ୍ବଲପୁରରେ ବହୁ ସମୟ ବିତାଇଥିବା ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ନମିଳିବା ତାଙ୍କ ପରାଜୟର ପ୍ରମୁଖ କାରଣ ଥିଲା। ନଳିନୀକାନ୍ତଙ୍କ ଠାରୁ ୯,୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ପ୍ରଥମ ଥର ଲୋକସଭାରେ ପାଦ ଥାପିଥିଲେ। ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନିତେଶଙ୍କୁ ନିର୍ବାଚନ ପରେ ଲୋକେ କିନ୍ତୁ ଦେଖିବାକୁ ପାଉନାହାନ୍ତି। ‌ତାଙ୍କ ଅଧିକାଂଶ ସମୟ ଦେବଗଡ଼ କିମ୍ବା ଦିଲ୍ଲୀରେ ବିତୁଛି।

ତେଣୁ, ବିଜେପି ତାଙ୍କୁ ପୁଣି ଥରେ ଏଠାରୁ ପ୍ରାର୍ଥୀ କରାଇବାକୁ ଚାହିବ ନାହିଁ। ବିଭିନ୍ନ ନିର୍ବାଚନରେ ବାରଂବାର ପରାଜୟ ପରେ ଶେଷରେ ବରଗଡ଼ ଲୋକସଭା କ୍ଷେତ୍ରରୁ ବିଜୟର ସ୍ବାଦ ଚାଖିଥିବା ସମ୍ବଲପୁରର ସୁରେଶ ପୂଜାରୀଙ୍କ ପାଇଁ ନିଶ୍ଚିତ ଭାବେ ବରଗଡ଼ ପ୍ରଥମ ପସନ୍ଦ ରହିବ। ଏଭଳି ସ୍ଥିତିରେ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ୭ଟି ବିଧାନସଭା ‌କ୍ଷେତ୍ରକୁ ନେଇ ଗଠିତ ସମ୍ବଲପୁର ଲୋକସଭା ଆସନରେ ଗ୍ରହଣୀୟ ହେଲା ଭଳି ଅନ୍ୟ ଜଣେ ନେତା ହେଉଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଜୟ ନାରାୟଣ ତାଙ୍କ ସୁରକ୍ଷିତ ସମ୍ବଲପୁର ବିଧାନସଭା କ୍ଷେତ୍ର ଛାଡ଼ି ଲୋକସଭା ନିର୍ବାଚନ ଲଢ଼ିବାକୁ କଦାପି ରାଜି ହେବେ ନାହିଁ। ତେବେ, ଯୁବାବସ୍ଥାରେ ବହୁ ବର୍ଷ ସମ୍ବଲପୁରରେ ବିତାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଏଠାରୁ ପ୍ରାର୍ଥୀ କଲେ ଦଳ ସୁବିଧାଜନକ ସ୍ଥିତିରେ ରହିବ କୁହାଯାଉଛି। ନିଜ ଗୃହ ଜିଲ୍ଲା ଅନୁଗୁଳର ଦୁଇଟି ବିଧାନସଭା କ୍ଷେତ୍ରରେ ବିଜେଡିର ଭୋଟ ବିଭାଜନରେ ସେ ସଫଳ ହେବେ। ପୁନର୍ଗଠନ ପୂର୍ବରୁ ସେ ଥରେ ଦେବଗଡ଼ ଲୋକସଭା କ୍ଷେତ୍ରର ସାଂସଦ ଥିଲେ। ଦେବଗଡ଼ ଏବେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି। ତେବେ, ଧର୍ମେନ୍ଦ୍ର ସମ୍ବଲପୁର ଓ ନିଜ ଗୃହ ଲୋକସଭା କ୍ଷେତ୍ର ଢେଙ୍କାନାଳ ମଧ୍ୟରୁ କାହାକୁ ବାଛିବେ ତାଙ୍କ ଉପରେ ନିର୍ଭର କରୁଛି।

ଏପେଟ ମାତ୍ର ୧୨.୦୯ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ଏବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି। ସମ୍ବଲପୁର ଲୋକସଭା କ୍ଷେତ୍ରରେ କଂଗ୍ରେସର ସଂଗଠନ ବହୁତ ଦୁର୍ବଳ ରହିଛି। ଏଭଳି ସ୍ଥିତିରେ ଶରତ ପୂରା ରାଜ୍ୟର ନିର୍ବାଚନ ଦାୟିତ୍ବ ସମ୍ଭାଳିବ‌ାକୁ ଥିବାରୁ ସେ ନିଶ୍ଚିତ ଭାବେ ନିଜ ପାଇଁ କୌଣସି ସୁରକ୍ଷିତ ଆସନ ଦେଖିବେ।

୨୦୧୯ ମସିହା ନିର୍ବାଚନ ପରେ ସାଂସଦ ନିତେଶ ଗଂଗଦେବଙ୍କ ଅପେକ୍ଷା ପରାଜିତ ପ୍ରାର୍ଥୀ ନଳିନୀ ବାବୁଙ୍କୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ତେବେ, ପଞ୍ଚାୟତ ନିର୍ବାଚନ ସମୟରୁ ତାଙ୍କୁ ସମ୍ବଲପୁର ଅପେକ୍ଷା ଆଠମଲ୍ଳିକ ବିଧାନସଭା କ୍ଷେତ୍ରର ରାଜନୀତିରେ ଅଧିକ ସକ୍ରିୟ ‌ରହୁଥିବା ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲାରେ ବିଜେଡି ସଂଗଠନର ସ୍ଥିତି ଦେଖି ‘ଯେତେ ନେତାଙ୍କୁ ସେତେ ଗୋଷ୍ଠୀ’ ବୋଲି କହାଯାଇଥାଏ। ଏଭଳି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ, ଏବେଠୁ ଆକଳନ କରିବା ମୁସ୍କିଲ। ତଥାପି, ନଳିନୀ ପ୍ରଧାନଙ୍କ ସହିତ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ, ଇଂ. ରୋହିତ ପୂଜାରୀ ଓ ଯୁବନେତା ସଂଜିତ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି।

Spread the love