୨୦୨୧ରେ ସମ୍ବଲପୁରର ଆଇଆଇଏମ୍‌

୨୦୨୧ ଡି‌ସେମ୍ବର ସୁଦ୍ଧା ଶେଷ ହେବ ଆଇଆଇଏମ୍‌ ସମ୍ବଲପୁରର ନୂତନ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ। ଆଇଆଇଏମ୍‌ ସମ୍ବଲପୁର ୭ ବର୍ଷର ଅସ୍ଥାୟୀ କ୍ୟାମ୍ପସ୍‌କୁ ଛାଡ଼ି ୨୦୨୨ ଜାନୁଆରିରେ ନିଜସ୍ବ ସ୍ଥାୟୀ କ୍ୟାମ୍ପସକୁ ଯିବ। ବସନ୍ତପୁରରେ ହେବାକୁ ଥିବା ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୪ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜାତୀୟସ୍ତରର ନବରତ୍ନ ସିପିଏସ୍‌ଇ ଏନ୍‌ବିସିସି(ନ୍ୟାସନାଲ ବିଲଡିଂ କନ୍‌ଷ୍ଟ୍ରକସନ କର୍ପୋରେସନ ଲିମିଟେଡ) ଏହି ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ୩୦ ମାସର ଅବଧି ମଧ୍ୟରେ ଏନ୍‌ବିସିସି ଏହି ନିର୍ମାଣ କାର୍ଯ୍ୟ ଶେଷ କରିବ। ଏନେଇ ଆଜି ଆଇଆଇଏମ୍‌ ସମ୍ବଲପୁରର ଅସ୍ଥାୟୀ କ୍ୟାମ୍ପସଠାରେ ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ବାଲ ଓ ଏନ୍‌ବିସିସି ପ୍ରକଳ୍ପ ଅଧିକାରୀ ଏ.କେ.ସୋମ୍‌ଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

ଏହି କ୍ୟାମ୍ପସ ନିର୍ମାଣ ପାଇଁ ‌ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ୬ଟି କମ୍ପାନି ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଏନ୍‌ବିସିସି ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏନ୍‌ବିସିସି କମ୍ପାନି ଏବେ ଆଇଆଇଏମ୍‌ ବିଶାଖାପାଟଣା ଓ ଆଇଆଇଟି ରାଞ୍ଚିର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ସମୟରେ ପୂର୍ବରୁ ଆଇଆଇଟି ଭୁବନେଶ୍ବରର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ କରିଛି।ଅନୁଷ୍ଠାନ ପାଇଁ ହେବାକୁ ଥିବା ନୂତନ କ୍ୟାମ୍ପସ ମଧ୍ୟ ଆଇଆଇଏମ୍‌ର ସମସ୍ତ କ୍ୟାମ୍ପସରୁ ଭିନ୍ନ ହେବ ବୋଲି ନିର୍ଦେଶକ ପ୍ରଫେସର ଜୟସ୍ବାଲ ବୋଲି କହିଥିଲେ। ଏଥିସହିତ, ଖୁବ୍‌ଶୀଘ୍ର ନୂତନ କ୍ୟାମ୍ପସ୍‌ର ମୃତ୍ତିକା ପରୀକ୍ଷଣ କରାଯାଇ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ଶ୍ରୀ ସୋମ୍‌ ମତବ୍ୟକ୍ତ କରିଥିଲେ।

Spread the love