ବିଜେପି ନେତା ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେଡି

ପୁରୀ,୦୬/୧୧:  ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁକୁ ବିଜେପି ପକ୍ଷରୁ ଭୁଲ ଭାବେ ଲେଖିବାକୁ ବିରୋଧ କରିଛି ବିଜେଡି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏଥିପାଇଁ ଦାୟୀ ବୋଲି ଦଳ ଅଭିଯୋଗ ଆଣିଛି। ଏନେଇ ଶନିବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଇ ସମ୍ବିତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

ସୂଚନାନୁସାରେ, ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସହ ଅନ୍ୟ କିଛି ବ୍ୟକ୍ତି ଏକ ପୋଷ୍ଟର ଧରିଥିଲେ । ଏହି ପୋଷ୍ଟରରେ ପୁରୀର ନାଁ ପରିବର୍ତ୍ତନ କରି ଜଗନ୍ନାଥ ଧାମ୍ ପୁରୀ କରିବାକୁ ଉଲ୍ଲେଖ କରାଯାଇଥିଲା । ତେବେ ଏଥିରେ ଶ୍ରୀଜଗନ୍ନାଥଙ୍କ ନାଁ ଭୁଲ ଲେଖାଯାଇଥିଲା । ଶ୍ରୀଜଗନ୍ନାଥ ବଦଳରେ ଶ୍ରୀଜନ୍ନାଥ ଉଲ୍ଲେଖ ରହିଥିଲା । ଯାହାକୁ ଚାରିଆଡୁ ବିରୋଧ କରାଯିବା ସହ ସମାଲୋଚନା ମଧ୍ୟ କରାଯାଇଛି  । ଏଥିପାଇଁ ସମ୍ବିତଙ୍କୁ ଦାୟୀ କରିଛି ବିଜେଡି ।

ଦଳର ଛାମୁଆ ସଙ୍ଗଠନ ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି ଯେ, ଓଡ଼ିଆଙ୍କ ଭାବାବେଗକୁ ସମ୍ବିତ କୁଠାରଘାତ କରିଛନ୍ତି। ଓଡିଶାକୁ ପର୍ଯ୍ୟଟକ ଭାବେ ଆସି ସେ ରାଜନୀତି ବନ୍ଦ କରନ୍ତୁ ।  ତୁରନ୍ତ ଏଥିଲାଗି କ୍ଷମା ମାଗନ୍ତୁ। ନଚେତ ତାଙ୍କୁ ଓଡ଼ିଶାରେ ପୁରେଇ ଦିଆଯିବ ନାହିଁ ବୋଲି ବିଜୁ ଛାତ୍ର ଜନତା ଦଳ ଚେତାବନୀ ଦେଇଛନ୍ତି।

Spread the love