ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କଲେ ସମ୍ବିତ ପାତ୍ର

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସେ ସୁପ୍ରିମକୋର୍ଟଙ୍କ ପ୍ରଥମ ଆଦେଶର ସ୍ପଷ୍ଟୀକରଣ ଓ ସଂଶୋଧନ ଚାହୁଛନ୍ତି। ଏଥିସହ ଜଗତର ନାଥ ଜଗନ୍ନାଥ ତାଙ୍କର ପ୍ରାର୍ଥନା ନିଶ୍ଚିତ ଶୁଣିବେ ବୋଲି ସେ ଟୁଇଟରେ ଲେଖିଛନ୍ତି।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବାକୁ ନେଇ ରାୟ ଶୁଣାଇଥିଲେ। କରୋନା ସଂକ୍ରମଣ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ଏହି ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆହୁରି ଅନେକ ରିଭ୍ୟୁ ପିଟିସନ ଦାୟର ହୋଇଛି। ଯାହାର କାଲି ଶୁଣାଣି କରାଯିବ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେବ କି ନାହିଁ ତାହା ନିର୍ଭର କରୁଛି। ଯଦି କୋର୍ଟ ପୁଣିଥରେ ରଥଯାତ୍ରା ହେବ ନାହିଁ ବୋଲି ରାୟ ଶୁଣାଇବେ, ତେବେ ଚଳିତଥର ରଥଯାତ୍ରା ବଡ଼ଦାଣ୍ଡ ଉପରେ ଅନୁଷ୍ଠିତ ହୋଇପାରିବ ନାହିଁ। ତେବେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେବ କି ନାହିଁ। ତାହା ଆସନ୍ତାକାଲି ସୁପ୍ରିମକୋର୍ଟର ଶୁଣାଣି ଉପରେ ନିର୍ଭର କରୁଛି।

Spread the love