ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର : ଡ.ସମ୍ବିତ ପାତ୍ର

ଭୁବନେଶ୍ୱର, ତା.୧୩/୦୪: ଘରୋଇ କଂପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମିକୁ ହଡପ୍ କରୁଛନ୍ତି । କେବଳ ଜମି ନୁହଁ ବରଂ ଦୁଇ ନଦୀକୁ ମଧ୍ୟ ବିକ୍ରି କରିଦେବାର ଷଡଯନ୍ତ୍ର କରିଥିଲେ । ଜମି ଅଧିଗ୍ରହଣ ପାଇଁ ଯେଉଁ ସବୁ ନିୟମାବଳୀ ରହିଛି, ତାକୁ ପାଳନ କରିବା ତ ଦୁରର କଥା ବରଂ ଷଡଯନ୍ତ୍ର ରଚି ଜମି ହଡପ୍ କରିବା କାର୍ଯ୍ୟରେ ଲାଗିପଡିଛନ୍ତି ବିଜେଡି ସରକାର । ଗତକାଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର କହିଛନ୍ତି ଯେ, ବହୁ ବିବାଦୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେଡି ସରକାରର ବିରାଟ ଷଡଯନ୍ତ୍ରକୁ ଖୁଲାସା କରିଦେଇଛି । ଗତ ୨୦୧୦ ମସିହାରେ ପୁରୀ-କୋଣାର୍କ ବେଳାଭୁମିରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷାରିତ ହୋଇଥିଲା । ପ୍ରଥମେ ୧୫ ହଜାର ଏକର ଜମି ଆବଶ୍ୟକ ଥିବାର କହୁଥିବାବେଳେ ଲୋକପାଳ ଏବଂ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ପରେ ୩୮୦୦ ହେକ୍ଟର ଜମି ଦେବା ପାଇଁ ଷଡଯନ୍ତ୍ର କରିଥିଲେ ରାଜ୍ୟ ସରକାର । ଏଥିରେ ପାଖାପାଖି ୫୦୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଉଥିବାବେଳେ ବଳକା ଜମି ସ୍ଥାନୀୟ ଚାଷୀଙ୍କଠାରୁ ଅଧିଗ୍ରହଣ କରିବାର ମସୁଧା ଚଲାଇଥିଲେ । ସାଧାରଣ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ଗୋଚର ଜମିକୁ ମଧ୍ୟ ଦେଇ ଦେବାର ଚକ୍ରାନ୍ତ କରାଯାଇଥିଲା । ସମୁଦ୍ର ତଟ ହୋଇଥିବା ସତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ତିଳେମାତ୍ରେ ଚିନ୍ତା କରିଲେ ନାହିଁ ରାଜ୍ୟ ସରକାର । ୬୦୦୦ ଚାଷୀ ପରିବାର ନିଜ ଚାଷ ଜମି ହରାଇବା ସହ ତାଙ୍କ ଜୀବନ ଜିବିକାକୁ ପ୍ରଭାବିତ କରୁଥିଲା । ମାତ୍ର ୬ ହଜାର ଚାଷୀ ପରିବାରର ଚିନ୍ତା ନକରି ଘରୋଇ କଂପାନୀ ପ୍ରୀତିକୁ ଅଗ୍ରାଧିକାର ଦେଇଥିଲେ ରାଜ୍ୟ ସରକାର । ଏହି ଅଧିଗ୍ରହଣରେ ଜମି ସହିତ ଦୁଇଟି ନଦୀକୁ ମଧ୍ୟ ଅଧିଗ୍ରହଣ କରାଯାଇଥିଲା । ରାଜ୍ୟରେ ପ୍ରବାହିତ ହେଉଥିବା ନଦୀଗୁଡିକ ସାଧାରଣ ଲୋକଙ୍କ ସଂପତି ହୋଇଥିବାବେଳେ କେଉଁ ଆଧାରରେ କଂପାନୀକୁ ବିକ୍ରି କରିଦେବାର ଚକ୍ରାନ୍ତ କରିଥିଲେ ରାଜ୍ୟ ସରକାର ? ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ଡ.ପାତ୍ର କହିଛନ୍ତି ।
ଅଧିଗ୍ରହଣ କରାଯାଉଥିବା ଜମିର ସମ୍ମୁଖରେ ବନ୍ୟପ୍ରାଣୀ ଅଭୟାରଣ୍ୟ ଥିବା ସତ୍ୱେ କେଉଁ ଆଧାରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର ? ଅହେତୁକ ଅନୁକଂପା ଦେଖାଇ ସମସ୍ତ ଟ୍ୟାକ୍ସ ଛାଡ ସହିତ ମାଗଣା ପାଣି, ବିଜୁଳି ଯୋଗାଇଦେବାକୁ ଏମଓୟୁରେ ପ୍ରତିଶୃତି କାହିଁକି ଦିଆଯାଇଥିଲା ? ଏପରିକି ସଂରକ୍ଷଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଜମି ହଡପ୍ କରିବାର ଚକ୍ରାନ୍ତ କରାଯାଇଥିବାରୁ ଅଧିଗ୍ରହଣ ପାଇଁ କୈାଣସି ସମୀକ୍ଷା ବା ସଠିକ୍ ଆକଳନ କରିନଥିଲେ ରାଜ୍ୟ ସରକାର । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଳରେ କେବଳ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ମାଧ୍ୟମରେ ବେଦାନ୍ତକୁ ଜମି ଦେବାର ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ଅନ୍ୟ କୈାଣସି ପ୍ରତିଷ୍ଠାନକୁ ସୁଯୋଗ ମଧ୍ୟ ଦେଲେ ନାହିଁ ।
ରାଜ୍ୟ ସରକାରଙ୍କ ଏପରି ପକ୍ଷପାତିତା ମନୋଭାବ ଏବଂ ଜମି ହଡପ୍‌କୁ ବିରୋଧ କରି ବିଜେପି ତରଫରୁ ବାରମ୍ବାର ପ୍ରତିବାଦ କରାଯାଇଥିଲା । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ନ୍ୟାୟ ଓ ସତ୍ୟର ବିଜୟ ହୋଇଛି । ଜନତାଙ୍କ ବିଶ୍ୱାସକୁ ନେଇ ସରକାର ଚାଲେ । ଏଠି ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର ବୋଲି ଡ.ପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିେଲେ ।

Spread the love