ପରୀକୁ ନ୍ୟାୟ ପାଇଁ ବିଜେପି ସଂଗ୍ରାମ ଜାରି ରଖିବ: ସମୀର ମହାନ୍ତି

ଭୁବନେଶ୍ୱର, ୨/୧୨: ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପିର ସଂଗ୍ରାମ ଜାରି ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଆଇନ ଆଗରେ ବଡ ସାନର ବିଭେଦ ନାହିଁ । ପରୀ ଗରିବ ଅଟୋ ଡ୍ରାଇଭରର ଝିଅ ।

ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ ଧରି ବିତର୍କର ଆବଶ୍ୟକ କ’ଣ ନଥିଲା? ମାତ୍ର ଶାସକ ବିଜେଡି ଓ କଂଗ୍ରେସର ଯୋଡି ଏକାଠି ହୋଇ ଏକ ଷଡ଼ଯନ୍ତ୍ରର ଅଙ୍ଗ ଭାବେ ଗରୀବ ବାପା, ମାଁର ଝିଅ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ।

ପରୀ ବିବାଦ ଛୋଟ ଝିଅ ଅପହରଣରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଅପହରଣ ପରେ ହତ୍ୟାର ସଙ୍ଗୀନ ସତ୍ୟ ସାମ୍ନାକୁ ଆସିଛି । ପରୀର ବାପା, ମାଁ ତାଙ୍କ ଝିଅର ଆଖି, କିଡନି ଚୋରି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ପରୀର ମରଶରୀର ଉଦ୍ଧାର ହେଲା ବେଳକୁ ସଂପୂର୍ଣ୍ଣ ମିଳାଇଯାଇଥିବା କହି ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା କି ନାହିଁ, ତାର ପ୍ରମାଣ ନାହିଁ ବୋଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବା ସହ ଅସହାୟତା ପ୍ରକାଶ କରିଛନ୍ତି ।

୪ ମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା? ଅପର ପକ୍ଷରେ ନୟାଗଡ଼ ପୋଲିସ ଅଭିଯୋଗକାରୀ ପରୀର ବାପା, ମା’ ଓ ତାଙ୍କର ବଡ଼ବାପା, ବଡମା’ଙ୍କ ପଲିଗ୍ରାଫ ଟେଷ୍ଟ କରିଛନ୍ତି ।

ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ପରୀର ବାପା, ମା’ ବାରମ୍ବାର କହିବା ସତ୍ତ୍ୱେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ସ୍ଥାନୀୟ ପୋଲିସ ୫ ଲକ୍ଷ ଟଙ୍କା ନେଇ ପରୀର ବଡ଼ବାପା ଓ ବଡମା’ଙ୍କ ନାଁରେ ଅଭିଯୋଗ ଆଣିଲେ ପରୀର ମୂର୍ତ୍ତି ପ୍ରତିଷ୍ଠା ସହ ସ୍କୁଲରେ ପରୀ ନାଁରେ ପୁରସ୍କାର ଦିଆଯିବ ବୋଲି କହି ପ୍ରଭାବିତ କରୁଥିଲେ ବୋଲି ପରୀର ବାପା, ମା’ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ସ୍ଥାନୀୟ ସରପଞ୍ଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଦୁଇଟି ଭାଇରାଲ ଅଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଗୋଟିଏ ଅଡିଓରେ ମନ୍ତ୍ରୀ ଶ୍ରୀ ସାହୁ ସରପଞ୍ଚଙ୍କୁ ପରୀ ନ୍ୟାୟ ପାଇଁ ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଉଛନ୍ତି । ଅନ୍ୟ ଅଡିଓରେ ପରୀର ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଭୂବନେଶ୍ୱରରେ ତାଙ୍କୁ ସାକ୍ଷାତ କରିଥିବା ନେଇ ମନ୍ତ୍ରୀ ଶ୍ରୀ ସାହୁ ସ୍ପଷ୍ଟ ଭାବେ କହୁଥିବା ଶୁଣାଯାଉଛି ।

ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସଂପୂର୍ଣ୍ଣ ହାତ ଟେକି ଦେଇଛନ୍ତି । ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି । ପରୀର ବାପା, ମା’ ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି ।

ଯଦି ପରୀ ମାମଲାରେ ସଠିକ୍ ତଦନ୍ତ ହୁଏ, ଏହାର ସାରା ରାଜ୍ୟ ବ୍ୟାପୀ ସୁଦୁର ପ୍ରସାରୀ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love