“ଲୋକଙ୍କ ପାଖରେ ବିକାଶ ନପହଞ୍ଚାଇ ମୋଦିଙ୍କ ଲୋକପ୍ରିୟତାକୁ ରୋକିବାକୁ ଷଡଯନ୍ତ୍ର କରୁଛନ୍ତି”

ରାଜ୍ୟ ସରକାର ଗତ ଦୁଇ ଦିନ ତଳେ ୨ ଲକ୍ଷ କୋଟି ଟଙ୍କାର ପୁଜିଂ ନିବେଶକୁ ମଂଜୁରି ଦେଇଛନ୍ତି । ସେଥିରୁ ପାରାଦ୍ୱୀପ ରିଫାଇନାରିର ପରିରିବର୍ଦ୍ଧିତ  ପ୍ରକଳ୍ପର ପୁଜିଂ ହେଉଛି ୧ ଲକ୍ଷ କୋଟି ଟଙ୍କା । ୨ ଲକ୍ଷ କୋଟି ଟଙ୍କାର ପୁଜିଂରେ ରହିଛି ହଳଦିଆ ପେଟ୍ରୋକେମିକାଲ ଓ ତାଳଚେର ଫର୍ଟିଲାଇଜର । କେନ୍ଦ୍ରସରକାର ବହୁପୂର୍ବରୁ ଏହି ପ୍ରକଳ୍ପ ଗୁଡିକୁ ମଂଜୁରୀ ଦେବା ସହ ରାଜ୍ୟସରକାରଙ୍କ ଏନଓସି ପାଇବା ପାଇଁ ଅପେକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଯାହାକୁ ନିଜେ ରାଜ୍ୟ ସରକାର ନିଜର ହିନ ରାଜନୈତିକ କାରଣ ପାଇଁ ଅଟକାଇଥିଲେ ସେହି ସବୁ ପ୍ରକଳ୍ପକୁ ମଜୁଂର କରି ଆଜି ଓଡିଆ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶୀଳାନ୍ୟାସ କରିକି ଯାଇଛନ୍ତି, ସେହି ପ୍ରକଳ୍ପ ଗୁଡିକୁ ସେତେବେଳ ରାଜ୍ୟ ସରକାର ଜମି ଦେଲେ ନାହିଁ କି ସହଯୋଗ କଲେ ନାହିଁ । ସେହି ସବୁ ପ୍ରକଳ୍ପକୁ ଏବେ ମଜୁଂରି କଲେ । କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଗୁଡିକୁ ରାଜ୍ୟସରକାର କାର୍ଯ୍ୟାନ୍ୱୟନ ନକରି ବିଳମ୍ବରେ କାର୍ଯ୍ୟାନ୍ୱୟନ କରି ଓଡିଶାର ବିକାଶରେ ଆଡିକାଠ ପକାଉଛନ୍ତି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଗୁଡିକୁ ମଂଜୁରୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି କାଳେ ନାଁ ନେଇଯିବେ, ସେଥିଲାଗି ହୀନ ମାନସିକତା ରଖି ଏହି ପ୍ରକଳ୍ପଗୁଡିକୁ ରାଜ୍ୟସରକାର ଅଟକାଇ ରଖିଥିଲେ । ସେହି ସବୁ ପ୍ରକଳ୍ପକୁ ମଜୁଂର କରି ଆଜି ଓଡିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟସରକାର । ତାମିଲ୍ କମ୍ପାନୀ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କୁ ବିନା ଅସୁବିଧାରେ ରାଜ୍ୟ ସରକାର ଏନଓସି ଦିଆଯାଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଥିଲା । ନୀରବ ମୋଦୀ ସାଙ୍ଗରେ ଏମୟୁ କରି ୬୦-୭୦ ଏକର ବହୁମୂଲ୍ୟ ସମ୍ପତି ରାଜ୍ୟ ସରକାର ଦେଲେ । କିନ୍ତୁ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ବାଧକ ସାଜିଲେ ।
ଭଦ୍ରକର ଜାତୀୟ ରାଜପଥ କଡରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡିଶା ସରକାର ଯୋଗାଇ ନାହାଁନ୍ତି । ଡେରାଶରେ ମୋରାଇନ୍ ଫୁଡ ପ୍ରସୋସିଂ ପ୍ଲାଂଟ ନିର୍ମାଣ ହେଲେ ଓଡିଆ ଲୋକମାନେ ଚିଙ୍ଗୁଡି କାରଖାନା କରି କାମ କରିପାରନ୍ତେ । ଭାରତ ସରକାର ପଇସା ଖର୍ଚ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ ସହଯୋଗର ହାତ ବଢାଉନାହାନ୍ତି । ମୁଖ୍ୟମନ୍ତ୍ରୀ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମାଗଣାରେ ଜମି ଦେବା କଥା ଏପର୍ଯ୍ୟନ୍ତ ଜମି ଯୋଗାଇନାହଁନ୍ତି । ଏନଟିପିସିର ୧୦ ହଜାର କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ ତାଳଚେର ପ୍ରକଳ୍ପର ସଂପ୍ରସାରଣରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ଦାମନଯୋଡି ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ ୨୦୧୭ରୁ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ସ୍ଥଗିତ ରହିଛି । ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଥିବା କହୁଥିବା ବେଳେ ନାଲକୋକୁ ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ମୁଖ୍ୟ ଶାସନ ସଚିବ କିଛି ଦିନ ତଳେ ଫାଇଲ ସବୁ ରକେଟ ଗତିରେ ଦୌଡିବ ବୋଲି କହୁଥିଲେ । ସଡକ, ପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି, ରେଳବାଇରେ ୧୨ ହଜାର ୨୮୬ କୋଟି, ଅଣ ପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟି , ସ୍ୱାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଏବଂ ପାଇକ ବିଦ୍ରୋହ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ବାଧାପ୍ରାପ୍ତ  ହୋଇଛି । ଏହି ସବୁ ଫାଇଲକୁ ରାଜ୍ୟ ସରକାର ରକେଟ ଗତିରେ ଦୌଡାଇବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର କାଳେ ବାହାବା ନେଇଯିବେ ସେଥିପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାଣିକି ସେହିସବୁ ପ୍ରକଳ୍ପକୁ କାମ ଆରମ୍ଭ କରିବା ପାଇଁ ଦେଲେ ନାହିଁ । ଯେବେ ନିର୍ବାଚନ ସରିଗଲା ସେତେବେଳେ ରାଜ୍ୟ ସରକାର ସେହି ସବୁ ପ୍ରକଳ୍ପକୁ ଅନୁମୋଦନ କରି ପୁଜିଂ ନିବେଶ ପାଇଁ ବାଟ ଫିଟିଲା ବୋଲି କହୁଛନ୍ତି । “ସ୍ୱାମୀ ପଛେ ମରୁ ସଉତୁଣି ବିଧବା ହେଉ” ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ପାଖରେ ପଛେ ବିକାଶ ନପହଁଚୁ ମାତ୍ର ମୋଦିଙ୍କ ଲୋକପ୍ରିୟତାକୁ ରୋକିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ପୁଜିଂ ନିବେଶ ପାଇଁ କେନ୍ଦ୍ରରେ ମୋଦି ସରକାର ଓଡିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି । ଓଡିଶାର ଦ୍ରୁତ ବିକାଶ ପାଇଁ ୨୦୧୪ ମସିହାରୁ ମୋଦି ସରକାରଙ୍କର ନିଷ୍ଠାପର ଉଦ୍ୟମ ସତ୍ୱେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ବସି ରହି ରାଜ୍ୟର ବିକାଶକୁ ବାଟବଣା କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love