ରାଜ୍ୟରେ କଂଗ୍ରେସ ଶକ୍ତିହୀନ, ଆଗକୁ ଦ୍ୱିପାକ୍ଷିକ ଲଢେଇ : ସମୀର ମହାନ୍ତି

ବାଲେଶ୍ୱର ଏବଂ ତିର୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତିକ ଭାବେ ଲଢେଇ କରିଥିଲା । ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ୱେ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ବାଟମାରଣା ଓ ବ୍ୟାପକ ଭ୍ରଷ୍ଟାଚାର ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢୁଥିଲା । କରୋନା ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ଭାଇ ଭଉଣୀମାନଙ୍କୁ ରୋଜଗାରକ୍ଷମ ନକରାଇପ୍ରତାରଣା କରିବା ପ୍ରସଙ୍ଗ ଆମେ ଉଠାଇଥିଲୁ । ଅନ୍ୟପଟେ କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡା ଆଉ କୌଣସି ପ୍ରସଙ୍ଗ ନଥିଲା । ରାଜ୍ୟରେ ଏବେ କଂଗ୍ରେସ ଶକ୍ତିହୀନ ହୋଇପଡିଛି । ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତୋଲବାସୀ ଏହାର ସଙ୍କେତ ଦେଇଛନ୍ତି । ୨୦୧୯ ନିର୍ବାଚନରେ ବିଜେପିକୁ ବିରୋଧୀ ଦଳର ମାନ୍ୟତା ଦେଇ କଂଗ୍ରେସକୁ ବ୍ୟାକଫୁଟକୁ ଠେଲିଥିଲେ ଓଡିଶାର ଜନତା । ଦୁଇ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିବା ପରେ ବି କଂଗ୍ରେସ ଦେଢ ବର୍ଷ ମଧ୍ୟରେ କେବଳ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତି କରି ଚାଲିଛି । ଆଗାମୀ ନିର୍ବାଚନରେ ଓଡିଶା କଂଗ୍ରେସ ମୁକ୍ତ ହେବାବେଳେ ରାଜ୍ୟରେ କେବଳ ଦ୍ୱିପାକ୍ଷିକ ନିର୍ବାଚନ ହେବ ବୋଲି ଏହି ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । କରୋନା ମହାମାରୀ ସମୟରେ ରାଜ୍ୟରେ ଦୁଇଟି ଉପନିର୍ବାଚନ ଶେଷ ହୋଇଛି । ଏଭଳି ଏକ ସଙ୍କଟ ସମୟରେ ଘରୁ ବାହାରି ନିଜ ମତ ସାବ୍ୟସ୍ତ କରିଥିବାରୁ ବାଲେଶ୍ୱର ଏବଂ ତିର୍ତୋଲବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଦେବା ସହ ଏହି ଜମମତକୁ ନମ୍ରତାର ସହ
ସ୍ୱାକାର କରି ଲୋକଙ୍କ ରାୟଙ୍କୁ ସମ୍ମାନ ଜଣାଇଛନ୍ତି । ସେହିପରି ଏହି ଦୁଇଟି ବିଧାନସଭାରେ କରୋନା ସମୟରେ ଘରୁ ବାହାରି କଠିନ ପରିଶ୍ରମ କରିଥିବା ଦଳୀୟ ନେତା ଏବଂ କାର୍ଯ୍ୟକର୍ତାଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ସୁଦୃଢ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର ଏବଂ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ
ପ୍ରମୁଖ ଉପସ୍ଥିତ ଥିଲେ ।

Spread the love