ଯୁବପିଢୀଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ ତମ ଜନ୍ମଜୟନ୍ତୀ । ୧୯୦୧ ଜୁଲାଇ ୬ ତାରିଖରେ ଡ. ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ରାଜ୍ୟ କାର୍ଯ୍ୟାଳୟରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଛନ୍ତି । ଶ୍ରୀ ମହାନ୍ତି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଚାରରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ ଯୁବପିଢୀଙ୍କୁ ଆହ୍ୱାନଦେଇଛନ୍ତି । ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା । ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା
ପାର୍ଟି’ ଭଳି ବଡ ବଟ ବୃକ୍ଷ ଭାବେ ରୂପ ନେଇଛି । ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି । ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ଥିଲେ । ଦେଶର ବିକାଶ, ଅର୍ଥନୀତିର ବିକାଶ, ସମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷାନୀତି କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟକରୁଥିଲେ । ସେ କହୁଥିଲେ ‘ଏକ ଦେଶମେଁ ଦୋ ବିଧାନ, ଦୋ ପ୍ରଧାନ, ୱର ଦୋ ନିଶାନ ନହିଁ ଚଲେଙ୍ଗେ ନହି ଚଲେଙ୍ଗେ ।’ ତାଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି । ଅଗଷ୍ଟ ୫, ୨୦୧୯ରେ କାଶ୍ମିରୀରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ କାଶ୍ମିରୀ ଭାରତର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥଯିବନି ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜେପି କାର୍ଯ୍ୟକର୍ତାଙ୍କ ସମେତ ବହୁ ସ୍ୱେଚ୍ଛାସେବୀମାନେ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିଥିଲେ । କେବଳ କ୍ଷମତା ପାଇଁ ନୁହେଁ, ବରଂ ସମାଜକୁ ସୁଦୃଢ, ଶୃଙ୍ଖଳିତ, ସଶକ୍ତ ଓ ବିକଶିତ କରିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ଏବଂ ଞ୍ଛସେବା ହିଁ ସଂଗଠନ‛ମନ୍ତ୍ରକୁ ପାଥେୟ କରି ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ସମୟରେ ବହୁ ସମାଜ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ପ୍ରତି ବୁଥରେ ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ତାଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ, ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯିବା ସହ ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଶୁଖିଲା ଖାଦ୍ୟ
ବଂଟନ କରାଯାଇଥିଲା ।

Spread the love