ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପରିବର୍ତନ ନିହାତି ଆବଶ୍ୟକ : ସମୀର ମହାନ୍ତି

 ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର, ପୈାର ପ୍ରଶାସନର ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଜିଲ୍ଲା ସଭାପତି ଶ୍ରୀ ନରେଶ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରିଣୀ ବୈଠକୁ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିଲେ । ଏହି ବୈଠକରେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଉପସ୍ଥିତ ଥିଲେ । କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା । ଏହା ପରେ ଶୋକ ପ୍ରସ୍ତାବ ଆଗତ କରାଯାଇ ପୂର୍ବତନ ସିଡିଏସ ସ୍ୱର୍ଗତଃ ବିପିନ ରାଓତଙ୍କ ଟିମ୍ର ଅନ୍ୟତମ ସଦସ୍ୟ ରାଣାପ୍ରତାପ ଦାଶ, ବିଜେପିର ପୂର୍ବତନ ସଂଗଠନ ସଂପାଦକ ଦେବେନ୍ଦ୍ର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
କରାଯାଇଥିଲା । ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାର, ଦୁର୍ନୀତି ଓ ବ୍ୟଭିଚାର ସରକାର ବିରୁଦ୍ଧରେ ଏବଂ ବିଶେଷ କରି ମମିତା ମେହେର ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟର ସମସ୍ତ ୱାର୍ଡ ସ୍ତରରେ ଆନ୍ଦୋଳନ କରିବ । ଓଡିଶାବାସୀଙ୍କ ମୈାଳିକ ସମସ୍ୟା ଦୂର କରିବାରେ ଶାସକ ବିଜେଡି ସଂପୂର୍ଣ୍ଣ ଫେଲ ହୋଇଛି । କେବଳ ପ୍ରଚାର ସର୍ବସ୍ୱ ସାଜିଥିବା ଶାସକ ବିଜେଡି ଶାସନରେ ମହିଳା ଓ ଶିଶୁମାନେ ବିପଦରେ ଅଛନ୍ତି ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ମାଁ ଓ ଭଉଣୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦୀର୍ଘ ୨୧ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶା ଆଜି ମହିଳା ନିର୍ଯ୍ୟାତନାରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଶାସକ ବିଜେଡିର ଅପାରଗତା ଓ ମହିଳାବିରୋଧୀ ନୀତିକୁ ସ୍ପଷ୍ଟ ପ୍ରମାଣିତ କରିଛି । ପୋଲିସ ଓ ପ୍ରଶାସନିକ କଳକୁ ଅପବ୍ୟବହାର କରି କେବଳ ଭୋଟ ରାଜନୀତି କରୁଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ଆଜି ଓଡିଶା ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି । ମୋଦି ସରକାରଙ୍କ ବହୁ ଗରୀବକଲ୍ୟାଣ ଯୋଜନାର ସୁଫଳ ପାଇବାରେ ବଂଚିତ ହେଉଛନ୍ତି ରାଜ୍ୟବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ବାସହୀନ
ହିତାଧିକାରୀଙ୍କୁ ଘରଟିଏ ଯୋଗାଇ ଦେବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ଧୁଳିସାତ କରିବାର ଅପପ୍ରୟାସ କରାଯାଉଛି । ଦଳୀୟ ଆଧାରରେ ବାସଗୃହ ବଂଟନ କରି ଶାସକ ବିଜେଡି ଆଜି ପ୍ରକୃତ ଗରୀବ ହିତାଧିକାରୀଙ୍କୁ ଧୋକା ଦେଉଛି । ଅୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରାଇ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ ଆଳରେ ଓଡିଶାବାସୀଙ୍କୁ ଭୂଆଁ ବୁଲାଯାଉଛି । ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ କେନ୍ଦ୍ରରୁ ପ୍ରଚୁର ମାତ୍ରାରେ ଅର୍ଥ ସିଧାସଳଖ ପ୍ରତ୍ୟେକ ପଂଚାୟତକୁ ଆସିଥିବା ସତ୍ୱେ ଭ୍ରଷ୍ଟାଚାର ଓ ଦୁର୍ନୀତି କାରଣରୁ ଆଜି ରାଜ୍ୟର ଗ୍ରାମାଂଚଳ ସମେତ ସହରାଂଚଳରେ ସଠିକ ବିକାଶ ସମ୍ଭବ ହୋଇପାରିନାହିଁ । ତେଣୁ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପରିବର୍ତନ ନିହାତି ଆବଶ୍ୟକ ହୋଇପଡିଛି ବୋଲି କାର୍ଯ୍ୟକାରିଣୀ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ସୁରକ୍ଷା ଯୋଗାଇଦେବାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ମନ୍ତ୍ରୀ ଦିବ୍ୟଶଂକରଙ୍କ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ କାର୍ଯ୍ୟକାରିଣୀ ଦାବୀ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦଳୀୟ ଆଧାରରେ ସାସକ ବିଜେଡି ନେତା ଓ କର୍ମୀଙ୍କୁ ବାସ ଗୃହ ପ୍ରଦାନ କରାଯାଉଥିବାରୁ କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରିଛି । ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସମେତ ଅନ୍ୟାନ୍ୟ ଗ୍ରାମାଂଚଳ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସଜାଡିବା ଏବଂ ଖାଲି ପଡି ରହିଥିବା ଡାକ୍ତର ପଦବୀ ପୂରଣ କରାଯିବାକୁ କାର୍ଯ୍ୟକାରିଣୀ ଦାବୀ କରିଛି । ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜନସାଧାରଣଙ୍କୁ ଭୂଆଁ ବୁଲାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନ କରିବାକୁ କାର୍ଯ୍ୟକାରିଣୀ ଘୋର ନିନ୍ଦା କରିଛି । ଢେଙ୍କାନାଳ ସହର ସମେତ ଅନ୍ୟାନ୍ୟ ସ୍ଥାନରେ ନିଶା ବେପାର (ବ୍ରାଉନ ସୁଗାର) ବ୍ୟାପକ କାରବାର କାରଣରୁ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି । ପୋଲିସ ଓ ପ୍ରସାସନତ ଜ୍ଞାତସାରରେ ଏହି କାରବାର ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଜିଲ୍ଲାରେ ହତ୍ୟାକାଣ୍ଡ, ଚୋରୀ, ଡକାୟତି, ଅପହରଣ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଏହା ସତ୍ୱେ ଏ ସମସ୍ତ କାର୍ଯ୍ୟକୁ ରୋକିବାରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ଆନ୍ତରିକତା ଅଭାବକୁ କାର୍ଯ୍ୟକାରିଣୀ ଘୋର ନିନ୍ଦା କରିଛି । ଜଙ୍ଗଲ ପ୍ରସାନର ଉଦାସିନତା କାରଣରୁ ହାତୀ ଉପଦ୍ରବରେ ଜିଲ୍ଲବାସୀ ହନ୍ତସନ୍ତ ହେବା ସହ ବ୍ୟାପକ କ୍ଷତି ସହୁଛନ୍ତି । ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ବିରୋଧୀମାନଙ୍କୁ ଦମନ କରିବା ପାଇଁ ପୋଲିସକୁ ବ୍ୟବହାର କରି ବିଜେପି କାର୍ଯ୍ୟକର୍ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯିବାର ପ୍ରୟାସକୁ କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରିଛି ।ବିଜୁଳି ଏବଂ ବିଜୁଳି ସେବାକୁ ନେଇ ଜିଲ୍ଲାବାସିଙ୍କ ମନ ଭିତରେ ଥିବା ଅସନ୍ତୋଷ ପ୍ରତି କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିବା ସହ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ଦାବୀ କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କରୋନା ବିରୁଦ୍ଧ ଯୁଦ୍ଧରେ ଆଜି ୧୩୦ କୋଟି କୋଭିଡ୍ ଟୀକା ଯୋଗାଇବା ଏବଂ ଆହୁରି ୮ ମାସ ପାଇଁ ମାଗଣା ରାସନ ପ୍ରଦାନ କରିଥିବାରୁ କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି । ଏହି କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ବିଧାୟକ କୃଷ୍ନଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ଶତୃଘ୍ନ ଜେନା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love