ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ : ସମୀର ମହାନ୍ତି

ଭୁବନେଶ୍ୱର ତା ୨୫/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ଆଇନର ଶାସନ; ସ୍ୱଚ୍ଛତା ଓ ସାଧୁତା; ସମ୍ବେଦନଶୀଳତା ; ସର୍ବସମ୍ମତିକ୍ରମେ; ପକ୍ଷପାତିତା ବିନା ଓ ଅନ୍ତର୍ଭୁକ୍ତ ଫଳୋତ୍ପାଦକ ବା ଫଳପ୍ରଦ କାର୍ଯ୍ୟଦକ୍ଷତା ଏବଂ ଉତରଦାୟୀତ୍ୱ ଆଧାରରେ ସୁଶାସନର ସିଦ୍ଧାନ୍ତ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀଙ୍କ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀ ଜିଙ୍କ ୯୮ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୨୧’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଚଳିତ ବର୍ଷ ବରିଷ୍ଠ ସଂଗଠକ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କୁ “ଅଟଳ ସମ୍ମାନ -୨୦୨୧” ସମ୍ମାନରେ ସମ୍ମାନୀତ କରାଯାଇଛି । ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବେହେରା ଜନସଂଘର ସାଂଗଠନିକ କାର୍ଯ୍ୟକୁ ତୃଣମୁଳ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ରାର୍ଷ୍ଟବାଦ ବିଚାରର ବିସ୍ତାର ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଜରୁରୀକାଳିନ ପରିସ୍ଥିତିରେ ବିରୋଧୀ ଦଳର ଆଗ ଧାଡିର କାର୍ଯ୍ୟକର୍ତା ଭାବେ ଶ୍ରୀ ବେହେରା ୨୧ ମାସ ଜେଲଦଣ୍ଡ ଭୋଗିଥିଲେ । ବିଶିଷ୍ଟ ରାଷ୍ଟ୍ରବାଦି କବି ଡ.ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ -୨୦୨୧” ରେ ସମ୍ମାନୀତ କରାଯାଇଛି । ଡ.ପଣ୍ଡା ଓଡିଆ ଭାଷାରେ ନିରନ୍ତର କଲମ ଚାଳନା କରି ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ଜଣେ ସୁକବି ଭାବେ ନିଜ ପରିଚୟ ସୃଷ୍ଟି କରିଥିବା ଡ.ପଣ୍ଡାଙ୍କ ପ୍ରବନ୍ଧ ଓ ସାହିତ୍ୟ ଜଗତରେ ମଧ୍ୟ ସୁନାମ ପ୍ରତିଷ୍ଠା କରିଛନ୍ତି । ସେହିପରି ବରିଷ୍ଠ ପ୍ରଶାସକ, ସଂଗଠକ ତଥା ବିଶିଷ୍ଟ ସମାଜସେବୀ ଲକ୍ଷ୍ମଣ କୁମାର ମହାନ୍ତିଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୨୧” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ମହାନ୍ତି ଓଡିଶା ପ୍ରଶାସନିକ ସେବାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଅନେକ ସୁନାମ ଅର୍ଜନ କରିଛନ୍ତି । ଭାରତ ବିକାଶ ପରିଷଦ ରାଜ୍ୟ ଶାଖାର ପୃଷ୍ଟପୋଷକ ସଦସ୍ୟ ଶ୍ରୀ ମହାନ୍ତି ସାମାଜସେବାରେ ନିଜକୁ ଉତ୍ସର୍ଗ କରି ନିଃସହାୟ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ଅନେକ ସେବାର ଉଦାହରଣ ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ମହିଳା ସଶକ୍ତିକରଣ ଆଦି କାର୍ଯ୍ୟରେ ଶ୍ରୀ ମହାନ୍ତିଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ । ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ସହ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ । ଓଡିଶାର ମହାବାତ୍ୟା ପରେ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଳୱ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାନ୍ତି କହିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ସୁଶାସନ ଦିବସ’ ଏବଂ ‘ଅଟଳ ସମ୍ମାନ-୨୦୨୧’ କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି  ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜିଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ବିଶିଷ୍ଟ ସାମ୍ବାଦିକ ଶ୍ରୀ ପତଞ୍ଜଳୀ କରଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଶ୍ରୀ ଅଭୟ ଦ୍ୱିବେଦୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗତଃ ବାଜପେୟୀଜୀଙ୍କ ସ୍ମୃତିଚାରଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଶିଷ୍ଟ ଗୀତିକାର ପଂଚାନନ ନାୟକ ଅଟଳ ସମ୍ମାନ ସମାରୋହ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ । ଶେଷରେ ବିଜେପି ରାଜ୍ୟ ପାଠାଗାର ସଂଯୋଜକ ଶ୍ରୀ ଭୂବନାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପ୍ରାଙ୍ଗଣରେ ଥିବା ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିରଂଚି ନାରାୟଣ ତ୍ରିପାଠୀ ଓ ଠାକୁର ରଂଜିତ ଦାସ, ବିଶ୍ୱରଂଜନ ବଡଜେନା, ଶିଶିର ମିଶ୍ର, ଅଜୟ ମିଶ୍ରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । 

Spread the love