ପଛୁଆ ବର୍ଗଙ୍କୁ ସଂରକ୍ଷଣ ମାମଲାରେ ବିଜେଡି କଟା ଘା’ରେ ଚୂନ ମାରିବା ବନ୍ଦ କରୁ- ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ
୪୦ ପ୍ରତିଶତ ଅଧିକାର ଦେବେ ବୋଲି କହି ଶାସକ ଦଳ ବିଜେଡି ଓବିସିଙ୍କ କଟା ଘା’ରେ ଚୂନ ମାରିବା ବନ୍ଦ କରୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡ଼ି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗରୁ ପ୍ରଥମେ ୨୭ % ଏବଂ ପରେ ୪୦ ପ୍ରତିଶତ କଥା ପ୍ରାର୍ଥୀ କରିବା କଥା କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି । ରାଜ୍ୟରେ ଅବହେଳିତ ଓବିସି ବର୍ଗର ସବୁ ଲୋକଙ୍କୁ ଆଗ୍ରାଧିକାର ତଥା ସାମ୍ବିଧାନିକ ଅଧିକାର ପ୍ରଦାନ କରାଯାଉ । ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ, ଯୁବବର୍ଗଙ୍କୁ ଚାକିରିରେ ଓ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଆମ ଦଳ ପକ୍ଷରୁ ଦାବୀ କରାଯାଉଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓବିସି ବର୍ଗର ୩୫ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରାର୍ଥୀ କରାଇ ଉଦାହରଣ ସୃଷ୍ଟି କରିସାରିଛି । ବିଶ୍ଳେଷଣ କଲେ, ରାଜ୍ୟର ମୋଟ ଜନସଂଖ୍ୟାର ପାଖାପାଖି ୫୪ ପ୍ରତିଶତ ହେଉଛନ୍ତି ଓବିସି ବର୍ଗ । ତେଣୁ ବିଜୁ ଜନତା ଦଳ ଭାଷଣବାଜି ମାରି ଓବିସିଙ୍କ ପ୍ରତି ମିଛ ଦରଦ ଦେଖାଇବା ବନ୍ଦ କରନ୍ତୁ । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ତିନି ତିନି ଥର ଯଥା ଜୁଲାଇ ୨୫,୨୦୧୯, ଜାନୁଆରୀ ୧୫, ୨୦୨୦ ଏବଂ ଡିସେମ୍ବର ୩୧,୨୦୨୦ରେ ଚିଠି ଲେଖିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବହେଳିତ ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକିରିରେ
ସଂରକ୍ଷଣ ପ୍ରଦାନ ନକରିବା ଦୁର୍ଭାଗ୍ୟଜନକ । ତେଣୁ ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ । ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଜାଣିଶୁଣି ସଂଖ୍ୟାଧିକ ଜାତିବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ତରଫରୁ ବାରମ୍ବାର ଭ୍ରମାତ୍ମକ ବୟାନବାଜୀ କରାଯାଉଛି । ପଛୁଆ ବର୍ଗକୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ ସଂରକ୍ଷଣ ଦେବୁ ବୋଲି କହି ଶାସକ ବିଜେଡି କଟା ଘା’ ରେ ଚୂନ ମାରୁଛି । ବହୁ ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ପାଇଁ ‘ଟ୍ରିପଲ ଟେଷ୍ଟ’ ସଂପର୍କରେ ଉଲ୍ଲେଖ କରିଥିବାବେଳେ ରାଜ୍ୟ ସରକାର ଟେଷ୍ଟରେ ଫେଲ ହେଲେ କାହିଁକି?ରାଜ୍ୟରେ ଦୀର୍ଘ ଦିନ ଧରି ଓବିସି କମିଶନ ପଦବୀ କାହିଁକି ଖାଲି ପଡି ରହିଥିଲା ? ବିଳମ୍ବରେ ଗଠିତ କମିଶନକୁ ଉପଯୁକ୍ତ କ୍ଷମତା ଆଜି ପର୍ଯ୍ୟନ୍ତ କାହିଁକି ଦିଆଯାଇନାହିଁ? ଗତ ୨ ବର୍ଷ ଭିତରେ ରାଜ୍ୟ ଓବିସି କମିଶନ କଣ କଣ କାର୍ଯ୍ୟ କରିଛନ୍ତି ଏବଂ କେଉଁ କେଉଁ ଜାତିବର୍ଗ ପଛୁଆ ବର୍ଗରେଅନ୍ତର୍ଭୁକ୍ତ ହେବେ, ତାହା ସ୍ଥିରକୃତ କାହିଁକି ହୋଇପାରିନାହିଁ?
ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ରାଜ୍ୟରେ ଓବିସି ସଂରକ୍ଷଣ ସଂପର୍କିତ ମକଦ୍ଦମାରେ ଜାତି ଜନଗଣନା ଓ
ସଂରକ୍ଷଣରେ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଓଡିଶା ସରକାର ତଦାନୁଯାୟୀ ପ୍ରସ୍ତୁତ ହେଲେ ନାହିଁ କାହିଁକି? ପୌର ନିର୍ବାଚନ ସଂରକ୍ଷଣରେ ଅନିୟମିତତା ଦର୍ଶାଇ ଉଚ୍ଚ ନ୍ୟାୟାଳୟ ବିଜ୍ଞପ୍ତିକୁ ବାତିଲ କରିବା ପରେ ଗୋଟିଏଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା କି? ଯଦି ରଥଯାତ୍ରା ବନ୍ଦ କରିବା ପାଇଁ ହରିଶ ସାଲଭେ ଓ ପରୀହତ୍ୟାକାଣ୍ଡ ମକଦ୍ଦମାରେ ଦିନକୁ କୋଟି କୋଟି ଟଙ୍କା ନେଉଥିବା ଓକିଲଙ୍କୁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ନିୟୋଜିତ କରାଇ ପାରିଲେ, ତେବେ ପାଖାପାଖି ୫୪ ପ୍ରତିଶତ ଓବିସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭଲ ଭାବରେ ଆଇନଗତ ଲଢେଇ ଲଢ଼ୁନାହାନ୍ତି କାହିଁକି ? ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗରେ ଉପସ୍ଥାପନା ଓବିସି ବିରୋଧୀ ସ୍ପଷ୍ଟ ଜଣାପଡ଼ୁଛି । ଉପରୋକ୍ତ ମକଦ୍ଦମାର ସ୍ଥିତି ସଂପର୍କରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅବଗତ କରୁନାହାନ୍ତି କାହିଁକି?ସଂରକ୍ଷଣ ସୀମା ୫୦ ପ୍ରତିଶତ ନିର୍ଦ୍ଧାରଣ କରିବା ସମୟରେ ଉଚ୍ଚତମ ନ୍ୟାୟାଳୟ ସମସ୍ତ ରାଜ୍ୟମାନଙ୍କର ମତାମତ ଲୋଡିଥିବାବେଳେ ଓଡିଶା ସରକାର ନିଜ ପକ୍ଷ ରଖି ନଥିଲେ କାହିଁକି ? ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂରକ୍ଷଣ ସଂପର୍କିତ ମକଦ୍ଦମାରେ ଉଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାର ତାଙ୍କ ପକ୍ଷ ରଖିବାବେଳେ ଉଚ୍ଚତମ ନ୍ୟାୟାଳୟରେ ଏ ସଂପର୍କିତ ଏକ ମକଦ୍ଦମା ‘ବିଚାରାଧୀନ’ ଥିବା କଥା ଉଲ୍ଲେଖ କଲେ ନାହିଁ କାହିଁକି? ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଉଚ୍ଚତମ ନ୍ୟାୟାଳୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ରିଭ୍ୟୁ ପିଟିସନ ଦାଖଲ ନକରି ପଛୁଆ ବର୍ଗକୁ ଶାସକ ବିଜେଡି ଭୂଆଁ ବୁଲାଉଛି କାହିଁକି ?ରାଜ୍ୟ ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କ
ସଂଖ୍ୟା ସଂପର୍କରେ ଆଦୈା କୌଣସି ତଥ୍ୟ ନାହିଁ କି ? ତେବେ କେଉଁ ଆଧାରରେ ଜାତି ପ୍ରମାଣ ପତ୍ର ଓ ନିଯୁକ୍ତି ପ୍ରକ୍ରିୟା ଚାଲିଆସୁଛି? ଆଉ କେତେ ବର୍ଷ ଶାସନ କଲେ ରାଜ୍ୟ ସରକାର ଗରୀବ, ଚାଷୀ, ଭାଗଚାଷୀ ଓ ପଛୁଆ ବର୍ଗଙ୍କ ତାଲିକା ପ୍ରସ୍ତୁତ କରିପାରିବେ? କେନ୍ଦ୍ର ସରକାର ଓବିସି ମାନଙ୍କ କ୍ଷେତ୍ରରେ ଯାହା କରୁଛନ୍ତି ତାହାକୁ ଭଲ ଭାବେ ଆପଣ ବିଶ୍ଳେଷଣ କରନ୍ତୁ । ନିକଟ ଅତୀତରେ ମେଡ଼ିକାଲ ଶିକ୍ଷାନୁଷ୍ଠାନ ସହ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ୨୭% ଓ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ୧୦% ସଂରକ୍ଷଣର ବ୍ୟବସ୍ଥା କରିଥିବାବେଳେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ କରିଛନ୍ତି କି? ରାଜ୍ୟ ସରକାର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା, ଯୁବବର୍ଗଙ୍କୁ ଚାକିରି ଓ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ନଦେଇ
ସାମ୍ବିଧାନିକ ଅଧିକାରରୁ ବଂଚିତ କରନ୍ତୁ ନାହିଁ । ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଲଢ଼େଇ କରିବାକୁ ସେ ଦାବୀ କରିଛନ୍ତି ।

 

Spread the love