ଗରିବଙ୍କ ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ହେଉଛିଏକାତ୍ମ ମାନବବାଦ: ସମୀର ମହାନ୍ତି

ଭୁବନେଶ୍ୱର : ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ ଦୀନଦୟାଲଜୀ ଏକାତ୍ମ ମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ । ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନୀତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କରୋନା ସଂକଟ ସମୟରେ ଦେଶ ତଥା ବିଶ୍ୱବାସୀ ଏକାତ୍ମ ମାନବବାଦ ଚିନ୍ତାଧାରକୁ ଭଲ ଭାବେ ହୃଦବୋଧ କରିଛନ୍ତି ବୋଲି ଆଜି ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦିନଦୟାଲଜୀଙ୍କ ୫୩ ତମ ପୂଣ୍ୟତିଥି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସମାଜ ଓ ସେବା ପାଇଁ ସମର୍ପିତ ଥିବା ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିକୁ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି । ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ କାର୍ଯ୍ୟ କରୁଥିଲେ । ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଙ୍କ ଏକ ଅଭୂତପୂର୍ବ ସଫଳତା । ବର୍ତମାନ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀଙ୍କ ଅନ୍ତୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରୀବ ଓ ଆର୍ଥିକ ଅନଗ୍ରସଙ୍କ ପାଇଁ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ଜରିଆରେ ଦେଶର ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ, ବାସହୀନ ଗରିବଙ୍କୁ ପକ୍କାଘର, ସମସ୍ତଙ୍କୁ ଶସ୍ତା ବିଜୁଳି ଓ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ଘରେ ପାଇଖାନା ଓ ରୋସେଇ ଗ୍ୟାସ ଯୋଗାଣ, ଜାତୀୟ ଜିବୀକା ମିଶନରେ ସମସ୍ତଙ୍କୁ କାମ ଓ ରୋଜଗାର, ମହିଳା ସଶକ୍ତିକରଣ ଆଦି ଭଳି ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀଙ୍କ ଦର୍ଶନ ଶାସ୍ତ୍ର ହିଁ ମୁଳ ଆଧାର । ଦୀନଦୟାଲଙ୍କ ଏକାତ୍ମ ମାନବବାଦ, ଆଜି ଭାରତୀୟ ରାଜନୀତିରେ ଗରିବଙ୍କ ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ । ଦୀନଦୟାଲଜୀଙ୍କ ଭଳି ଆମ୍ଭେମାନେ ସଂପୂର୍ଣ୍ଣ ସମର୍ପଣ ଭାବ ସହ ରାଷ୍ଟ୍ରହିତ ଓ ସମାଜ ହିତ କାର୍ଯ୍ୟରେ ନିଜକୁ ଗଢି ତୋଳିବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜିର ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏକାତ୍ମ ମାନବ ଦର୍ଶନର ବରିଷ୍ଠ ପ୍ରବକ୍ତା ଶ୍ରୀ ସରୋଜ ମିତ୍ର ଦୀନଦୟାଲଜୀଙ୍କ ଓଡିଶା ଆଗମନ ଅବସରରେ ଓଡିଆ ବୁଦ୍ଧିଜୀବିଙ୍କ ମନରେ ପ୍ରଭାବ ପଡିଥିବା ରାଷ୍ଟ୍ରବାଦୀ ବିଚାର ସଂପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସେହିପରି ବରିଷ୍ଠ ରାଷ୍ଟବାଦୀ ଲେଖକ ଶ୍ରୀ ସୈାମେନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୀନଦୟାଲଜୀଙ୍କ ଏକାତ୍ମ ମାନବବାଦ ଦର୍ଶନ କାରଣରୁ “ଅନ୍ତଦ୍ୟୋୟରୁ ଅନନ୍ତ ବିକାଶ” ସମ୍ଭବ ବୋଲି କହିଥିଲେ ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ବରିଷ୍ଠ ନେତା ତଥା ବୁଦ୍ଧିଜୀବି ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା, ଭୂବନାନନ୍ଦ ତ୍ରିପାଠୀଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ପଣ୍ଡିତ ଦୀନଦୟାଲଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ ।

Spread the love