ସହରାଚଂଳରେ ବିକାଶ ଠପ୍ ହୋଇଯାଇଛି : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୧/୦୩: ରାଜ୍ୟର ଅଧିକାଂଶ ସହରର ବସ୍ତି ଅଂଚଳରେ ବିଜୁଳି ଖୁଂଟ ଅଛି, କିନ୍ତୁ ଲାଇଟ ଜଳୁନାହିଁ । ଡ୍ରେନ ଓ ସ୍ୱେରେଜ ବ୍ୟବସ୍ଥା ଅତି ଶୋଚନୀୟ । ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବାରୁ ସହରର ବସ୍ତି ଅଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସହରାଚଂଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ବରଂ ଶାସକ ବିଜେଡିର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି । ଏହି କାରଣରୁ ରାଜ୍ୟର ସଠିକ ବିକାଶ ହେଉନାହିଁ ଏବଂ ସହରାଚଂଳ ବିକାଶ ଠପ ହୋଇଯାଇଛି । ସାମୁହିକ ବିକାଶ ବାଧାପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଲାଂଚ କାରବାର କାରଣରୁ ଗରୀବ ବାସହୀନମାନେ ସାମାନ୍ୟ ବାସଗୃହଟିଏ ପାଇବାରୁ ବଂଚିତ ହେଉଛନ୍ତି । ଦଳୀୟ ଆଧାରରେ ରାସନ କାର୍ଡ ବଂଟନ ହେଉଛି । ବ୍ୟାପକ ପିସି କାରବାର ଦୁର୍ନୀତିଗସ୍ତ ରାଜ୍ୟ ସରକାରଙ୍କ ଅସଲି ମୁଖା ଖୋଲିଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ପୌର ନିର୍ବାଚନ ପ୍ରଚାର ଅବସରରେ ଦକ୍ଷିଣ ଓଡ଼ିଶା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ମାଲକାନଗିରି, କୋରାପୁଟ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବାଲିମେଳା ଏନ୍‌ଏସି ଚେୟାରମ୍ୟାନ ପ୍ରାର୍ଥୀ ପ୍ରଦୀପ କୁମାର ନାୟକ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ଶ୍ୟାମଳ ସୁନାନୀ, କୋଟପଡା ଏନ୍‌ଏସି ଚେୟାରମେନ ପ୍ରାର୍ଥୀ ରାମେଶ୍ୱର ଜେନାଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।


ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରର ବିକାଶ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିଥିବାବେଳେ ରାଜ୍ୟ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଓଡିଶାବାସୀ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବାରୁ ଲୋକେ ବଂଚିତ ହେଉଛନ୍ତି । ସହରରେ ଭଲ ରାସ୍ତା ନାହିଁ । କେନ୍ଦ୍ରରୁ ଆସୁଥିବା ଅର୍ଥକୁ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀ ଖାଇ ଅଂଚଳର ନୁହଁ ନିଜର ସ୍ଥିତିକୁ ସୁଧାରୁଛନ୍ତି । ମିଛ ବିଲ୍ କରି କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ନିଜ ଭିତରେ ବାଂଟି ନେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ସମେତ ଅନେକ କେନ୍ଦ୍ରୀୟ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପରିବର୍ତେ ଦଳୀୟ ଭିତିରେ ଧନୀ ବିଜେଡି କର୍ମୀଙ୍କୁ ବଂଟନ କରି ଗରୀବ ଜନତାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ସହରାଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତ ପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ଦକ୍ଷ ନେତୃତ୍ୱ ଏବଂ ସୁଦୃଢ ଚେୟାରମ୍ୟାନ ନେତୃତ୍ୱର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ପୌର ନିର୍ବାଚନରେ ଭୋଟରେ ରୁପାନ୍ତରିତ ହୋଇ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ପ୍ରଭାରୀ କାଳୀରାମ ମାଝୀ, ଜିଲ୍ଲା ସଭାପତି ନିମାଇଁ ଚରଣ ପାଳ, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love