ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏକ ଐତିହାସିକ ନିଷ୍ପତି : ସମୀର ମହାନ୍ତି

ଭୁବନେଶ୍ୱର, ତା.୧୩/୦୧: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟି ଲୋକଙ୍କୁ ଏଣିକି ସଂପୂର୍ଣ୍ଣ ମାଗଣାରେ ଚାଉଳ ଓ ଗହମ ଯୋଗାଇ ଦେବାକୁ ଐତିହାସିକ ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଓଡିଶାର ୩ କୋଟି ୨୫ ଲକ୍ଷ ଲୋକ ଉପକୃତ ହେବା ସହ ମାସିକ ମୁଣ୍ଡ ପିଛା ୫କେଜି ଚାଉଳ ମାଗଣାରେ ପାଇବେ । ଏ ବାବଦରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ମୋଦି ସରକାରଙ୍କ ଏଭଳି ଐତିହାସିକ ନିଷ୍ପତି ଫଳରେ ରାଜ୍ୟ ସରକାରମାନେ ଆର୍ଥିକ ଚାପ ମୁକ୍ତ ହୋଇପାରିବେ । ସମଗ୍ର ଦେଶବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆସୁଥିବା “ୱାନ ନେସନ ୱାନ ରେସନ” ଯୋଜନାକୁ ଏହା ଆଗେଇ ନେବ । ଓଡ଼ିଶା ଭଳି ରାଜ୍ୟ ଯେଉଁଠି ଦାଦନ ସମସ୍ୟା ଅଛି ସେହି ରାଜ୍ୟର ଲୋକମାନେ ଏବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲାଭ ପାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସମସ୍ତେ ଜାଣନ୍ତି କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ସାମଗ୍ରିରେ ଆଗରୁ ଚାଉଳ କିଲୋ ପିଛା ଖର୍ଚ୍ଚ ହେଉଥିବା ୩୭ଟଙ୍କା ୨୮ପଇସାରେ କେନ୍ଦ୍ର ସରକାର ଦେଉଥିଲେ ୩୪ଟଙ୍କା ୨୮ପଇସା, ରାଜ୍ୟ ସରକାର ଦେଉଥିଲେ ମାତ୍ର ୨ଟଙ୍କା । ମାତ୍ର ୨ଟଙ୍କା ଦେଇ ସବୁ ବାଃ ବାଃ ସାଉଁଟୁଥିଲେ ମୁଖ୍ୟମନ୍ତ୍ରୀ ଓ ଏହାକୁ ବିଜୁ ଜନତା ଦଳ ଏକ ଭୋଟ ରାଜନୀତିରେ ପରିଣତ କରିଦେଇଥିଲା । ଏବେ ମୋଦି ସରକାର ଘୋଷଣା କରିଲେ ଯେ, ଏଣିକି ସବୁ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ଏହି ଘୋଷଣା ପରେ ରାସନ କଳାବଜାରୀ, ଭୂତ ହିତାଧିକାରୀ ଭଳି ଦୁର୍ନୀତିକୁ ରୋକାଯାଇପାରିବ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଦୁର୍ନୀତିର ପକ୍ଷଧର ହୋଇଥିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମାଗଣା ଚାଉଳ ଆମେ ଦେଉଛୁ କହି ଓଡିଶାବାସୀଙ୍କୁ ଭୂଆଁ ବୁଲାଉଥିବା ରାଜ୍ୟ ସରକାରଙ୍କ ମିଛ ପ୍ରଚାର ଧରା ପଡିଛି । ଶାସକ ବିଜେଡି ସମର୍ଥକ, ଚଂଚକତା ଓ ଦୁର୍ନୀତି କାରଣରୁ ଅନେକ ଯୋଗ୍ୟ ହିତାଧିକାରୀ ମାଗଣା ଚାଉଳ ପାଇବାରୁ ବଂଚିତ ହେଉଥିଲେ । ଏବେ ଏହା ଉପରେ ରୋକ ଲାଗି ପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love