ନୂତନ ଅଧ୍ୟାଦେଶ ସ୍ୱାସ୍ଥ୍ୟକର୍ମୀଙ୍କୁ ପୂର୍ବାପେକ୍ଷା ଅଧିକ ସୁରକ୍ଷା ପ୍ରଦାନ କରିବା ସହ ଦାୟୀତ୍ୱ ସଂପାଦନା ପାଇଁ ଅଧିକ ବଳ ଯୋଗାଇବ : ସମୀର ମହାନ୍ତି

ଭୁବନେଶ୍ୱର, ୨୨/୦୪: ଭାରତ ସମେତ ସମଗ୍ର ବିଶ୍ୱ ଆଜି ମହାମାରୀ କରୋନା ଭୂତାଣୂ କବଳରେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅଘୋଷିତ ଯୁଦ୍ଧର ଭାରତବର୍ଷରେ ନେତୃତ୍ୱ ନେଉଛନ୍ତି । ତାଙ୍କର ବଳିଷ୍ଠ ଓ ଦୃଢ ନିଷ୍ପତି ଏବଂ ପଦକ୍ଷେପକୁ ଜାତିସଂଘ ସମେତ ସମଗ୍ର ବିଶ୍ୱ ଭୂୟସୀ ପ୍ରଶଂସା କରିବା ସହ ଅନୁସରଣ କରୁଛନ୍ତି ।

ଏହି ଯୁଦ୍ଧରେ ପ୍ରଥମ ଧାଡିରେ ରହି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ଆଶାକର୍ମୀମାନେ ଚିକିତ୍ସା ଯୋଗାଉଛନ୍ତି । ମାତ୍ର ଦୁର୍ଭାଗ୍ୟବଶତଃ କିଛି ଅନୁଶାସନ ଭଙ୍ଗକାରୀମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରାଯିବା ସହ ଆକ୍ରମଣ କରିବା ଏବଂ ତାଙ୍କ ଗାଡି ଉପରେ ଆକ୍ରମଣ କରିବା ଦ୍ୱାରା ଏହି ବୀର ଯୋଦ୍ଧାମାନେ ଭୟଭୀତ ହେବା ସହ ହତୋତ୍ସାହ ହୋଇ ପଡୁଛନ୍ତି । ଏପରିକି ସାଧାରଣ ଦେଶବାସୀ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । ଏଭଳି ହୀନ ଘଟଣାକୁ ଆଉ ବରଦାସ୍ତ କରାନଯାଇ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାରକୁ ନେଇ କେନ୍ଦ୍ର ସରକାର କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଜି ବଡ ଘୋଷଣା କରିଛନ୍ତି ।

ଆଜି ସକାଳେ କେନ୍ଦ୍ର ଗୃହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଭାରତୀୟ ଡାକ୍ତର ସଂଘ ସହ ଆଲୋଚନା କରି ସୁରକ୍ଷା ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦେଇଥିଲେ । ଏହାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ପ୍ରସଙ୍ଗରେ ଅଧ୍ୟାଦେଶକୁ ମଞ୍ଜୁରୀ
ପ୍ରଦାନ କରିଛନ୍ତି । ୧୨୩ ବର୍ଷ ପୁରୁଣା ମହାମାରୀ ରୋଗ ଅଧିନିୟମ, ୧୮୯୭ରେ ପରିବର୍ତନ ଅଣାଯାଇ ଲାଗୁ କରାଯାଉଥିବା ଏହି ନୂତନ ଅଧ୍ୟାଦେଶ କାରଣରୁ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀମାନେ ନିଜକୁ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ମଣିବେ ଏବଂ ସେମାନେ ନିଜ ଦାୟୀତ୍ୱକୁ ଅଧିକ ସୁଚାରୁ ରୂପେ ପାଳନ କରିବାରେ ଏହି ନୂତନ ଅଧ୍ୟାଦେଶ ନିଶ୍ଚିତ ସହାୟକ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

Spread the love