ରାଜ୍ୟ ସରକାର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରନ୍ତୁ : ସମୀର ମହାନ୍ତି

ଭୁବନେଶ୍ୱର : କରୋନା ଭୂତାଣୁ ସଂକଟ ସମୟରେ ପୁଣି ଅମ୍ଫନ ବାତ୍ୟାର ପ୍ରକୋପ । ବାତ୍ୟା  ପ୍ରଭାବରେ ବହୁ ଧନସମ୍ପତି କ୍ଷତିଗ୍ରସ୍ତ ହୋଇ ପଡିଥିବାବେଳେ ବାତ୍ୟାର ୪୮ ଘଂଟା ନପୁରୁଣୁ ପ୍ରଧାନମନ୍ତ୍ରୀ ଶ୍ରୀ  ନରେନ୍ଦ୍ର ମୋଦି ସ୍ୱୟଂ ନିଜେ ଓଡିଶା ଆସି ରାଜ୍ୟବାସୀଙ୍କ ଦୁଃଖ ସହିତ ଠିଆ ହେଲେ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ନିଜେ ବ୍ୟକ୍ତିଗତ ଭାବେ ଦୀର୍ଘ ୨ ଘଂଟା କାଳ ବାତ୍ୟା ପ୍ରଭାବିତ ଅଂଚଳକୁ  ଆକାଶ ମାର୍ଗରୁ ଟିକିନିଖି ଦେଖିଲେ । ରାଜ୍ୟ ସରକାରଙ୍କ ସହ ଦୀର୍ଘ ୧ ଘଂଟା କାଳ ବାତ୍ୟା ପରିସ୍ଥିତିର ସମୀକ୍ଷା  କଲେ । ବାତ୍ୟା ପ୍ରଭାବିତଙ୍କ କ୍ଷୟକ୍ଷତିକୁ ଅନୁଭବ କରି ବୈଠକ ପରେ ତୁରନ୍ତ ୫୦୦ କୋଟି ଟଙ୍କାର ଅଗ୍ରୀମ  ତତ୍କାଳୀନ ଆର୍ଥକ ସହାୟତାର ଘୋଷଣ କରି ଦିଲ୍ଲୀ ପ୍ରତ୍ୟାବର୍ତନ କରିଲେ । ଘୋଷଣାର ୨୪ ଘଂଟା ନପୁରୁଣୁ ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଆସିଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଧାନ ସେବକର ଦାୟୀତ୍ୱକୁ ଯଥାର୍ଥରେ ନିର୍ବାହ କରୁଛନ୍ତି ଏବଂ ଏହା ହିଁ ନ୍ୟୁ ଇଣ୍ଡିଆ ଗଠନର କାର୍ଯ୍ୟଶୈଳୀ ବୋଲି ରାଜ୍ୟ ସଭାପତି ଶ୍ରୀ  ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି ।

ପ୍ରଧାନ ସେବକର ଦାୟୀତ୍ୱକୁ ଯଥାର୍ଥରେ ନିର୍ବାହ କରୁଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ  ନରେନ୍ଦ୍ର ମୋଦି  -ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଲା ପରେ ଅଧିକ ସହାୟତାର ପ୍ରତିଶ୍ରୁତି -ରାଜ୍ୟ ସରକାର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର କ୍ଷୟକ୍ଷତିର ସଠିକ ଆକଳନ କରି କେନ୍ଦ୍ରକୁ ପଠାଇବା ପାଇଁ ଅନୁରୋଧ।

ଏଥିସହ ଏଭଳି ସଂକଟ ସମୟରେ ସମସ୍ତ ପ୍ରକାରର ସାହାଯ୍ୟ ଓ  ସହଯୋଗର ହାତ ବଢାଇଥିବାରୁ ଓଡିଶାକୁ ଅତ୍ୟନ୍ତ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ମହାନ୍ତି
ଧନ୍ୟବାଦ ଜ୍ଞାପନ କରିଛନ୍ତି ।  ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟର କ୍ଷୟକ୍ଷତିର ଆକଳନ ରାଜ୍ୟ ସରକାର ପ୍ରସ୍ତୁତ କରିବା ପରେ କେନ୍ଦ୍ରୀୟ ଟିମ୍  ଆସି ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ବାସଗୃହ, କୃଷି, ଶକ୍ତି, ଯୋଗାଯୋଗ ତଥା ଭିତିଭୂମି ବିକାଶ କ୍ଷେତ୍ରରେ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ  ନିଜେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହ
ଯଥାଶୀଘ୍ର କ୍ଷୟକ୍ଷତିର ସଠିକ ଆକଳନ କରି କେନ୍ଦ୍ରକୁ ପଠାଇବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Spread the love