ଡିସେମ୍ବରରେ ଆସିବ ସ୍ବର୍ଗତ ରାଈମୋହନଙ୍କ ଶେଷ ଫିଲ୍ମ ‘ଓଁ ସ୍ୱାହା’

ଭୁବନେଶ୍ବର:  ଅକାଳରେ ପରଲୋକ ଘଟିଥିବା ଅଭିନେତା ରାଈମୋହନ ପରିଡ଼ାଙ୍କର ଶେଷ ଫିଲ୍ମ ‘ଓଁ ସ୍ବାହା’ ରିଲିଜ୍ ଅପେକ୍ଷାରେ ରହିଛି। ନିକଟରେ ଏହାର ଅଡିଓର ଶୁଭ ଉନ୍ମୋଚନ ହୋଇଥିଲା। ସେହି ଅବସରରେ ‘ଓଁ ସ୍ୱାହା’ର ପ୍ରଯୋଜକ ବିଜୟ ଦ୍ବିବେଦୀ ତଥା ଫିଲ୍ମର ପୂରା ଟିମ୍‌ ତରଫରୁ ସ୍ବର୍ଗତ ପରିଡ଼ାଙ୍କ ଧର୍ମପତ୍ନୀ ରଞ୍ଜିତା ପରିଡ଼ାଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉଲ୍ଲେଖନୀୟ ଯେ ରାଈମୋହନଙ୍କ ଅଭିନୟ ଦକ୍ଷତା, ବିଶେଷ କରି ତାଙ୍କର ନିଆରା ଶୈଳୀକୁ ଓଡ଼ିଆ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ମୁଖ୍ୟତଃ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ ହେଁ ତାଙ୍କର ଅସଂଖ୍ୟ ପ୍ରଶଂସକ ଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ଓଡ଼ିଆ ଦର୍ଶକଙ୍କ ସମେତ ସବୁ ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା।

ସେତିକିବେଳକୁ ‘ଓଁ ସ୍ବାହା’ର କାମ ଶେଷ ହୋଇ ଯାଇଥିଲା ଓ ଫିଲ୍ମଟି ରିଲିଜ୍‌ ଅପେକ୍ଷାରେ ଥିଲା। କିନ୍ତୁ ରାଈମୋହନଙ୍କର ଅକାଳ ବିୟୋଗ ପରେ ପରେ ତା’କୁ ରିଲିଜ୍ କରିବାକୁ ଉଚିତ ମନେ କରି ନ ଥିଲେ ପ୍ରଯୋଜକ। ତେବେ ସ୍ଥିର ହୋଇଛି ଯେ ଆସନ୍ତା ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଫିଲ୍ମଟି ରିଲିଜ୍ ହେବ। ଦର୍ଶକ ଶେଷଥର ପାଇଁ ଶୁଣିବେ ରାଈମୋହନଙ୍କର ସେଇ ଗାମ୍ଭୀର୍ଯ୍ୟଭରା କଣ୍ଠର ନିଆରା ସଂଳାପ। ଏ ଫିଲ୍ମରେ ସେ ଜଣେ ନୈଷ୍ଟିକ ବ୍ରାହ୍ମଣ ଚରିତ୍ରରେ ଅଭିନୟ କରିଛନ୍ତି ବୋଲି ଶୁଣାଯାଉଛି। ଏହି ଚରିତ୍ରକୁ ଦର୍ଶକମାନେ ନିଶ୍ଚିତ ରୂପେ ପସନ୍ଦ କରିବେ ବୋଲି ଫିଲ୍ମର ନିର୍ଦ୍ଦେଶକ ଏସ. ଦିଲ୍ଲୀପ ପଣ୍ଡା କହିଛନ୍ତି। ‘ଓଁ ସ୍ୱାହା’କୁ ଦର୍ଶକମାନେ ନିଶ୍ଚିତ ରୂପେ ଭଲ ପାଇବା ଦେବେ ବୋଲି ଏହାର କ୍ରିଏଟିଭ୍‌ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ସୂଚନାଯୋଗ୍ୟ, ବିଜୟ ଦ୍ବିବେଦୀଙ୍କ ପ୍ରଯୋଜିତ ତଥା ଏସ୍ ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଓଁ ସ୍ବାହା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ଏଥିରେ ନାୟକ ଜ୍ୟୋତିଙ୍କ ସହିତ ଅଛନ୍ତି ଦୁଇଜଣ ନାୟିକା ଅଛନ୍ତି- ଦିବ୍ୟା ମହାନ୍ତି ଓ ସସ୍ମିତା। ପ୍ରତିଭା ପଣ୍ଡା, ମମତା ଅପା, ସରୋଜ ଦାସ, ଶୈଳେନ୍ଦ୍ର, ଚିନ୍ତାମଣି, କେ.କେ, ଡିସ୍କୋ ରେଡ୍ଡୀ, କାଳିଆ ଭାଇ, ଜୀବନ ପଣ୍ଡା, ବାବୁ ପ୍ରଧାନ ଏବଂ ଅସିତ ପତି ପ୍ରମୁଖ କଳାକାର ଭିନ୍ନ ଭିନ୍ନ ଭୂମିକାରେ ଅଛନ୍ତି।

Spread the love