ଯାଜପୁରର ୨୪ଟି ବୁଥ୍‌ରେ ଆସନ୍ତାକାଲି ହେବ ସାନି ମତଦାନ

ଯାଜପୁର, ୨୨।୦୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ଆସନ୍ତାକାଲି  ୨୩ ତାରିଖ  ସାନି ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଥିବା ବେଳେ ଏ  ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ କରାଯାଇଛି । ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଯାଜପୁର ଓ ଧର୍ମଶାଳା ବ୍ଲକ, ଦ୍ୱିତୀୟ ପର୍ଯ୍ୟାୟରେ ଦଶରଥପୁର, ବଡ଼ଚଣା, ତୃତୀୟ ପର୍ଯ୍ୟାୟରେ ବିଞ୍ଝାରପୁର ଓ କୋରେଇ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା ।

ଏହି ସମୟରେ ବିଭିନ୍ନ ପଞ୍ଚାୟତରେ ମତଦାନ ଚାଲୁଥିବା ସମୟରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ବାଲାଟ ପେପର ଲୁଟ୍‌, ବାଲାଟ ବକ୍ସ ଲୁଟ୍ ଓ ପ୍ରିଜାଇଡିଂ ପୁଲିଂ ଅଫିସରଙ୍କୁ ମାଡ଼ ଏପରିକି ପୁଲିସଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ସବୁ ଅଞ୍ଚଳର ବୁଥ୍ ଗୁଡ଼ିକୁ ପୁନଃ ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ  ପ୍ରସ୍ତାବ ଯାଇଥିଲା ।  ଯାହାକୁ ଆଧାର କରି ନିର୍ବାଚନ କମିଶନର ସାନି ମତଦାନ ନିମନ୍ତେ ଦିବସ ଧାର୍ଯ୍ୟ କରିଛନ୍ତି ।

Spread the love