ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା

ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ।

ଶ୍ରୀ ଦାସବର୍ମା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଗତସିଂହପୁର ଜିଲ୍ଲାର ବିକାଶରେ ଶ୍ରୀ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ଯେଉଁ ଦାୟିତ୍ୱରେ ରହିଥିଲେ, ସଫଳତାର ସହ ତାକୁ ନିର୍ବାହ କରିଥିଲେ । ଜଣେ ଜନପ୍ରିୟ ନେତା ଭାବେ ସେ ଜଗତସିଂହପୁର ଅଞ୍ଚଳରେ ପରିଚିତ । ସେ ଜଣେ ଦକ୍ଷ ସଂଗଠକ ଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ଥିଲେ । ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଭାବେ ତାଙ୍କୁ ଗଣାଯାଏ । ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିବା ସମୟରେ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ।

ସେ ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ସେହିପରି ଗତ ନିର୍ବାଚନରେ ସେ ତିର୍ତ୍ତୋଲ୍‌ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାସହ ସେ ୨ଠ୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ଦୀର୍ଘ ୪ଠ ବର୍ଷ କର୍ମମୟ ଜୀବନର ଆଜି ଅବସାନ ଘଟିଛି । ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଏଥିସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି । ଏହି କଠିନ ସମୟରେ ତାଙ୍କ ଆତ୍ମୀୟ ସ୍ୱଜନ, ପରିବାରବର୍ଗ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ମହାପ୍ରଭୁ ଜଗନ୍ନାଥ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।

Spread the love