ବାବ୍ରୀ ଭୁଶୁଡିବା ବେଳକୁ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲା ବିଜେପି: ସଞ୍ଜୟ ରାଉତ

ନୂଆଦିଲ୍ଲୀ ୧୫।୧୨:  ଶିବସେନା ସାଂସଦ ସଞ୍ଜୟ ରାଉତ ବୁଧବାର ନୂଆଦିଲ୍ଲୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅଯୋଧ୍ୟା ବାବ୍ରୀ ମସଜିଦ୍‌ ଭୂଷୁଡିବା ସମୟରେ ହିନ୍ଦୁତ୍ୱ ଭୋଟ ବ୍ୟାଙ୍କର ସମର୍ଥକ ଘଟଣାସ୍ଥଳରେ ନଥିଲେ ବୋଲି କହିଛନ୍ତି।  ସେତେବେଳେ ଶିବ ସୈନିକ ଓ ହିନ୍ଦୁଙ୍କ ସପକ୍ଷରେ ବାଲାସାହେବ ଠାକରେ ଛିଡା ହୋଇଥିଲେ। ବାବ୍ରୀ ମସଜିଦ ଭୂଷାଡିଥିବା ଶିବ ସୈନିକଙ୍କୁ ନେଇ ବାଲ ଠାକରେ ଗର୍ବିତ ଥିଲେ।

ବାଲ ଠାକରେ ହିନ୍ଦୁ ଧର୍ମ ନାମରେ ଲୋକେ ତାଙ୍କର ଭୋଟ ଦିଅନ୍ତୁ ବୋଲି ସୁନିଶ୍ଚିତ କରିଥିଲେ। ହିନ୍ଦୁଙ୍କ ପ୍ରତି ଠାକରେଙ୍କ ବଚନବଦ୍ଧତା କେବଳ ନିର୍ବାଚନ ଅଥବା ଭୋଟରେ ସୀମିତ ନଥିଲା। ଠାକରେ ଓ ତାଙ୍କ ପାର୍ଟି ଲୋକଙ୍କ ଭୋଜନ, ବସ୍ତ୍ର ଓ ସେମାନଙ୍କ ଆଶ୍ରା ମଧ୍ୟ ସୁନିଶ୍ଚିତ କରି ଆସୁଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି। ଏହି ଅବସରରେ ରାଉତ ବିଜେପି ମୁଖିଆ ଚନ୍ଦ୍ରକାନ୍ତ ପାଟିଲଙ୍କ ଶିବାଜୀ ବୟାନର ମଧ୍ୟ ଉତ୍ତର ରଖିଥିଲେ।

ଚନ୍ଦ୍ରକାନ୍ତ ପାଟିଲଙ୍କ ଅନୁସାରେ ଭାରତରେ ହିନ୍ଦୁ ଭୋଟ ବ୍ୟାଙ୍କ ଶିବାଜୀ ମହାରାଜ ସ୍ଥାପନା କରିଥିଲେ। ତେବେ ଶିବାଜୀ ଭୋଟ ବ୍ୟାଙ୍କ କରିଥିଲେ କି ନା ତାହା ମୁଁ ଜାଣି ନାହିଁ, ହେଲେ ସେ ଦେଶରେ ପ୍ରଥମ ହିନ୍ଦୁ ସ୍ୱରାଜ ସ୍ଥାପନା କରିଥିଲେ ବୋଲି ମୁଁ ଦୃଢତାର ସହ କହିପାରେ ବୋଲି ସଞ୍ଜୟ ରାଉତ କହିଛନ୍ତି। ଛତ୍ରପତି ଶିବାଜୀଙ୍କ ଶିକ୍ଷା ଉପରେ ଦେଶରେ ପ୍ରଥମେ ବାଲାସାହେବ ଠାକରେ ଓ ତାଙ୍କ ପୂର୍ବରୁ ବୀର ସାବରକର ମହାରାଷ୍ଟ୍ର ଓ ପୁରା ଦେଶରେ ପ୍ରସାରିତ କରିଥିଲେ ବୋଲି ରାଉତ କହିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ହିନ୍ଦୁ ଡରିବା ଜାଣିନି। ଆମେ ଲଢୁ ଓ ଜିତୁ, ଆମେ କେବଳ ରାଜନୀତି ଓ ନିର୍ବାଚନ ଲାଗି ଆମେ ହିନ୍ଦୁ ନୁହଁ। ନିକଟରେ ଜୟପୁର ସଭାରେ ରାହୁଲ ଗାନ୍ଧି ହିନ୍ଦୁ ଓ ହିନ୍ଦୁତ୍ୱବାଦର ବ୍ୟାଖ୍ୟା କରିଥିଲେ। ଏଥିରେ ହିନ୍ଦୁ ଓ ହିନ୍ଦୁତ୍ୱରେ ଥିବା ପାର୍ଥକ୍ୟ ଦର୍ଶାଇଥିଲେ ରାହୁଲ। ଏବେ ସଞ୍ଜୟ ରାଉତ ହିନ୍ଦୁ ଓ ହିନ୍ଦୁବାଦୀଙ୍କୁ  ଚାଲୁଣିରେ ଛାଣିଛନ୍ତି।

Spread the love