ଆଜିଠୁ କମ୍ପିବ ସଂସଦ : ମୌସୁମୀ ଅଧିବେଶନ ପାଇଁ ଶାସକ-ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ ୧୮/୦୭: ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ। ଏହା ଆସନ୍ତା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୧୮ଟି କାର୍ଯ୍ୟଦିବସ ରହିଛି । ଏହି ସମୟରେ ଗୃହକାର୍ଯ୍ୟ ମୋଟ ୧୦୮ ଘଣ୍ଟା ଚାଲିବାକୁ ଧାର୍ଯ୍ୟ କରାଯାଇଛି ।

ଏହି ଅଧିବେଶନରେ ୬୨ ଘଣ୍ଟା ସରକାରୀ କାର୍ଯ୍ୟ ରହିଥିଲା ବେଳେ ଅବଶିଷ୍ଟ ୪୬ ଘଣ୍ଟା ପ୍ରଶ୍ନୋତ୍ତର, ଶୂନ୍ୟକାଳ ଓ ବେସରକାରୀ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ କରାଯାଇଛି । ଏହି ଅଧିବେଶନରେ ଉଭୟ ଗୃହରେ ପଡି ରହିଥିବା ୧୪ଟି ବିଲ୍‌ ଉପରେ ଆଲୋଚନା ଓ ଗୃହୀତ ହେବାକୁ ଥିଲା ବେଳେ ସରକାରଙ୍କ ପକ୍ଷରୁ ୨୪ଟି ନୂଆ ବିଲ୍‌ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ମୌସୁମୀ ଅଧିବେଶନ ସମୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଏହା ବେଶ୍‌ ଗୁରୁତ୍ୱ ବହନ କରୁଛି । ଅଧିବେଶନର ଅବ୍ୟବହିତ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ସବୁ ରାଜନୈତିକ ଦଳର ଉଭୟ ସଦନର ନେତାମାନେ ଅଂଶଗ୍ରହଣ କରିଥିଲେ । ବୈଠକରେ ଏଆଇଏଡିଏମ୍‌କେ ଏବଂ ଡିଏମ୍‌କେ ନେତାମାନେ ଶ୍ରୀଲଙ୍କା ତାମିଲ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ । ପଡୋଶୀ ରାଷ୍ଟ୍ର ବର୍ତ୍ତମାନ ଘୋର ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟକୁ ଚାଲିଯାଇଥିବାରୁ ଭାରତ ଏ ଦିଗରେ ସହଯୋଗ କରିବାକୁ ସେମାନେ ଦାବି କରିଥିଲେ । ତେବେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୧୯ ତାରିଖରେ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶ୍ରୀଲଙ୍କା ପରିସ୍ଥିତି ସମ୍ପର୍କରେ ସବୁ ଦଳର ନେତାଙ୍କୁ ଅବଗତ କରାଇବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ରବିବାର ଏହି ସର୍ବଦଳୀୟ ବୈଠକରେ ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମିଲ ହୋଇଥିଲେ । ସେହିଭଳି କଂଗ୍ରେସର ମଲିକାର୍ଜୁନ ଖଡ୍‌ଗେ, ଅଧିର ରଞ୍ଜନ ଚୌଧୁରୀ ଓ ଜୟରାମ ରମେଶ, ଡିଏମ୍‌କେର ଟି.ଆର ବାଲୁ ଓ ତିରୁଚି ଶିବା, ଟିଏମ୍‌ସିର ସୁଦୀପ ବନ୍ଦୋପାଧ୍ୟାୟ, ଏନ୍‌ସିପିର ଶରଦ ପାୱାର, ବିଜେଡିର ପିନାକୀ ମିଶ୍ର, ୱାଇଏସ୍‌ଆର କଂଗ୍ରେସ ପାର୍ଟିର ବିଜୟ ସାଇ ରେଡ୍ଡୀ ଓ ମିଥୁନ ରେଡ୍ଡୀ, ଟିଆରଏସ୍‌ର କେଶବ ରାଓ ଓ ନମ ନାଗେଶ୍ୱର ରାଓ, ଆରଜେଡିର ଏ.ଡି ସିଂହ ଏବଂ ଶିବସେନାର ସଞ୍ଜୟ ରାଉତ ପ୍ରମୁଖ ଯୋଗଦେଇଥିଲେ ।

ଅଧିବେଶନକୁ ସୁଚାରୁ ରୂପେ ଚଳାଇବା ଲାଗି ସରକାରଙ୍କ ପକ୍ଷରୁ ସବୁ ଦଳର ସହଯୋଗ ଲୋଡାଯାଇଛି । ତେବେ ବିରୋଧୀ ଦଳର ସଦସ୍ୟମାନେ ଏହି ଅଧିବେଶନରେ ଦରଦାମ ବୃଦ୍ଧି, ବେକାରୀ ଓ ଅଗ୍ନିପଥ ଯୋଜନା ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲା ବେଳେ ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଓ ତାକୁ ଗୃହୀତ କରାଇବା ଲାଗି ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

Spread the love