କେଁଉ ଫୁଲ ଘର ଶାନ୍ତି ଭଙ୍ଗ କରେ ଜାଣିଛନ୍ତି କି

ବାସ୍ତୁ ଅନୁସାରେ ସବୁ କାମ କରିବା ଶୁଭ ହୋଇଥାଏ ବୋଲି କାହିଁ କେଉଁ ଯୁଗରୁ ବିଶ୍ୱାସ ରହି ଆସିଛି। ବାସ୍ତୁ ନିୟମ ଅନୁସାରେ ଯଦି ଘର ତିଆରି କରାଯାଏ, ତେବେ କେବେ ବି ଘରକୁ ବିପଦ କିମ୍ବା ଆର୍ଥିକ ସଙ୍କଟ ଆସି ନଥାଏ। ସେହିଭଳି ଘରର କାନ୍ଥ ବାଡ଼ରେ ମଧ୍ୟ ବାସ୍ତୁ ଅନୁସାରେ ଚିତ୍ର ଓ ପେଣ୍ଟିଂ କରିବା ନିୟମ ରହିଛି। ସବୁ କୋଣରେ ଯେମିତି ସବୁ ଘର କରାଯାଏ ନାହିଁ, ସେହିଭଳି ସବୁ କାନ୍ଥରେ ସବୁ ଚିତ୍ର ଲାଗେ ନାହିଁ। ବାସ୍ତୁ ଅନୁସାରେ ପ୍ରତ୍ୟେକ ଜିନିଷକୁ ନିର୍ଦ୍ଦିଷ୍ଟ ଦିଗରେ ରଖିବା ଉଚିତ। ସେହିଭଳି ଘରେ ମଧ୍ୟ ପ୍ରତ୍ୟେକ ବସ୍ତୁକୁ ଠିକ୍‌ ଭାବେ ରଖିବା ଉପରେ ବାସ୍ତୁରେ ଗୁରୁତ୍ୱ ଦିଆଯାଇଛି। ତେବେ ବାସ୍ତୁରେ ଆଜି ଆସନ୍ତୁ ଜାଣିବା ଫୁଲ ବିଷୟରେ…

ଘର ହେଉ କି ଅଫିସ, ସବୁ ସ୍ଥାନରେ ଫୁଲ ରଖିବାକୁ ଭଲ ବୋଲି ଧରାଯାଏ। ଏଣୁ ଅଧିକାଂଶ ଲୋକ ଅଫିସ ଟେବୁଲ ଉପରେ ଓ ଘରେ ଫୁଲ ରଖିଥାନ୍ତି। ଏକ ସାଜସଜ୍ଜା ସାମଗ୍ରୀ ଭାବେ ଫୁଲକୁ ସବୁଆଡ଼େ ବ୍ୟବହାର କରିହୁଏ। ଯଦି ଆପଣ ବି ଘରେ ଫୁଲ ରଖୁଥାନ୍ତି ତେବେ କେତେକ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍‌। ନଚେତ୍‌ ଘରକୁ ସୁନ୍ଦର କରୁଥିବା ଏହି ଫୁଲ ଆପଣଙ୍କ ପାଇଁ ଘାତକ ସାଜିପାରେ।

କିଛି ଲୋକ ଘରକୁ ଗଛ ତ କିଣି ଆଣନ୍ତି। କିନ୍ତୁ ତାହାର ଠିକ୍‌ ଭାବେ ଯତ୍ନ ନେଇନଥାନ୍ତି। ଫଳରେ ଫୁଲ ଗଛ ମଉଳି ଯାଏ କିମ୍ବା ଖରାପ ହୋଇଯାଏ। ବେଳେବେଳେ ରକ୍ଷଣାବେକ୍ଷଣ ଅଭାବରୁ ବି ଗଛର ପତ୍ର କଳା ପଡ଼ିଯାଏ। ଯାହା ଉପରେ ସାଧାରଣତଃ କେହି ଏତେଟା ଦୃଷ୍ଟି ଦେଇ ନଥାନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଏଭଳି ଗଛ ଝାଉଁଳି ଯିବା ଭଲ ହୋଇନଥାଏ।

ବାସ୍ତୁ ଶାସ୍ତ୍ର ମୁତାବକ, ଘରେ ଝାଉଁଳି ପଡ଼ିଥିବା ଓ ଶୁଖିଯାଇଥିବା ଫୁଲ ରଖିବା ଆଦୌ ଭଲ ନୁହେଁ। ଏହା ଫୁଲ ରଖାଯାଇଥିବା ସ୍ଥାନର ସୌନ୍ଦର୍ଯ୍ୟ ବିଗାଡ଼ିବା ସହ ବାସ୍ତୁ ସମସ୍ୟା ବି ସୃଷ୍ଟି କରିପାରେ। ଘରେ ଝାଉଁଳି ପଡ଼ିଥିବା ଓ ଶୁଖିଯାଇଥିବା ଫୁଲ ଥିଲେ, ଟଙ୍କା ପଇସା ଅଭାବ ଦେଖା ଦେଇପାରେ। ଏଥିସହ ଆର୍ଥିକ ସମସ୍ୟା ଅଧିକ ବଢ଼ିପାରେ। କାରଣ ମା’ ଲକ୍ଷ୍ମୀଙ୍କୁ ଅପରିଷ୍କାର ଓ ଅସୁନ୍ଦର ଜିନିଷ ପସନ୍ଦ ନୁହେଁ। ଯଦି ଆପଣ ଘରେ ଶୁଖିଲା ଫୁଲ ରଖୁଥାନ୍ତି, ତେବେ ତାହା ଆପଣଙ୍କ ଆର୍ଥକ ସଙ୍କଟର କାରଣ ବନିପାରେ। ଏଣୁ ଯଦି ଘରେ କିମ୍ବା ଅଫିସରେ ଥିବା ଫୁଲ ଶୁଖିଯାଇଛି ତେବେ ତାହାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ। ନଚେତ୍‌ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ।

Spread the love