ସର୍ଦ୍ଦାର ପଟେଲଙ୍କ ପ୍ରତିମା ନିକଟକୁ ଆସିଲେ ଉର୍ଜା ମିଳେ- ପ୍ରଧାନମନ୍ତ୍ରୀ

ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ 144ତମ ଜନ୍ମଜୟନ୍ତୀ। ଏହି ଅବସରରେ କେୱଡିୟାର ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ରନ ଫର ୟୁନିଟି କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଯୋଗଦେଇ ଦେଶବାସୀଙ୍କ ଏକତାର ଶପଥ ଦେଇଛନ୍ତି। ଏହି ସମୟରେ ମୋଦୀ ସମ୍ବୋଧନ କରି ଦେଶର ଏକତାର ମହତ୍ତ୍ଵ, ସର୍ଦ୍ଦାର ପଟେଲଙ୍କ ସ୍ଵପ୍ନ ଓ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ନେଇ ସ୍ମୃତିଚାରଣ କରିଛନ୍ତି।

କେୱଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକତା ପରେଡରେ ସମ୍ବୋଧନ କରି କହିଛନ୍ତି ଯେ, ଯେପରି କୌଣସି ଧାର୍ମିକ ସ୍ଥଳୀକୁ ଆସିଲେ ଶାନ୍ତି ମିଳେ ସେହିପରି ଭାବରେ ସର୍ଦ୍ଦାର ପଟେଲଙ୍କ ପ୍ରତିମା ନିକଟକୁ ଆସିଲେ ଉର୍ଜା ମିଳେ। ଆମକୁ ସର୍ଦ୍ଦାର ପଟେଲଙ୍କ ସ୍ଵର ଏବେବି କାନରେ ବାଜୁଛି। ତାଙ୍କ ବାଣୀରେ ଶକ୍ତି ରହିଛି। ତାଙ୍କର ବିଚାରରେ ଯେଉଁ ପ୍ରେରଣା ରହିଛି ତାହାକୁ ପ୍ରତି ହିନ୍ଦୁସ୍ତାନୀ ଅନୁଭବ କରି ପାରୁଛି। ଦେଶର ପ୍ରତି କୋଣ ଅନୁକୋଣରୁ କୃଷକଙ୍କ ଠାରୁ ମିଳିଥିବା ଲୁହା, ଅଲଗା ଅଲଗା ସ୍ଥାନରୁ ଆସିଥିବା ମାଟିରେ ଲୌହ ପୁରୁଷଙ୍କର ଏହି ପ୍ରତିମା ନିର୍ମିତ ହୋଇଛି। ତେଣୁ ଏହି ଭବ୍ୟ ପ୍ରତିମା ବିବିଧତା ମଧ୍ୟରେ ଏକତାର ଜୀବନ୍ତ ପ୍ରତୀକ। ତେଣୁ ଏହି ପ୍ରତିମା କେବଳ ଦେଶ ନୁହେଁ ବିଶ୍ଵକୁ ଆକର୍ଷିତ କରୁଛି। ତେଣୁ ଏହି ମହାନ ଆତ୍ମାଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ମୋଦୀ ଗୌରବାନ୍ଵିତ ଅନୁଭବ କରିଛନ୍ତି।

Spread the love