ଭୁବନେଶ୍ୱରରୁ ମିଳିଲା ଶର୍ମିଷ୍ଠାଙ୍କ କାର୍‌, କିନ୍ତୁ ମିଳୁନି ତାଙ୍କ ପତ୍ତା

ଭୁବନେଶ୍ୱର ୨୩।୦୩ : ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଉ ପାଦେ ଆଗେଇଲା ପୋଲିସ । ଭୁବନେଶ୍ୱରରୁ ମିଳିଲା ‘ସଂପୂର୍ଣ୍ଣ’ ଓ୍ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍‌ । ମାନସଙ୍କ ଅପହରଣରେ ଏହି କାର୍‌ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏବେ ବି ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ।

ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୋମବାର ଦିନ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କର କୌଣସି ପତ୍ତା ମିଳୁନାହିଁ । ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି । ଆଉ ମୁଖ୍ୟ ଅଭିଯୁକ୍ତର ତଲାସ ଜାରି ରହିଛି । ସେପଟେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ସଂପର୍କରେ ବହୁ ଖିଅ ବାହାରିଛି । ଶର୍ମିଷ୍ଠା ଓ ନିରଞ୍ଜନ ବାରମ୍ବାର ଫୋନ୍‌ରେ କଥା ହେଉଥିଲେ । ଏପରିକି ଶର୍ମିଷ୍ଠା ଫେରାର ହେବା ଦିନ ତାଙ୍କୁ ନିରଞ୍ଜନ ୩୦ଥରରୁ ଅଧିକ ଫୋନ୍‌ କରିଥିବା ଜଣାଯାଇଛି । ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ସାମ୍ମାକୁ ଆସିଛି । ଭୁବନେଶ୍ୱରର ଠାବ ହୋଇଛି ଶର୍ମିଷ୍ଠାଙ୍କ କାର୍‌ । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଅଫିସ ପାର୍କିଂରୁ ଏହି କାର୍‌କୁ ଠାବ କରିଛି ପୋଲିସ । ମାନସଙ୍କ ଅପହରଣରେ ଏହି କାର୍‌କୁ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି ।

Spread the love