ସାର୍ସ ଔଷଧରେ ଶୀଘ୍ର ଭଲ ହେବେ କୋଭିଡ-୧୯ ରୋଗୀ !

ଅନ୍ୟତମ ଭୂତାଣୁ ବିରୋଧୀ ଔଷଧ ‘ଇଣ୍ଟରଫେରନ୍–ଏ୨ବି’ର ପ୍ରୟୋଗ ଦ୍ବାରା ଜଣେ କୋଭିଡ୍–୧୯ ରୋଗୀ ଦ୍ରୁତ ଉପଶମ ଲାଭ କରିବାରେ ସହାୟକ ହେବ ବୋଲି କାନାଡା଼ର ଟରେଣ୍ଟା ବିଶ୍ବବିଦ୍ୟାଳୟର ଦଳେ ଆନ୍ତର୍ଜାତିକ ଔଷଧ ଗବେଷକ ଦାବି କରିଛନ୍ତି ।  ୨୦୦୨ ଓ ୨୦୦୩ ମସିହା ବେଳେ ମହାମାରୀ ସାର୍ସର ଆବିର୍ଭାବ ବେଳେ ଏହି ଔଷଧ ବିନିଯୋଗର ଉପକାରିତାକୁ ପାଥେୟ କରି ସେମାନେ କୋଭିଡ୍–୧୯ ରୋଗୀଙ୍କ ଠାରେ ମଧ୍ୟ ଅନୁରୂପ ସଫଳତା ପାଇପାରିଥିବା କହିଛନ୍ତି । ଏହି ନିର୍ଦ୍ଦିଷ୍ଟ ଔଷଧର ଉପଯୋଗରେ ରୋଗୀ ଦେହରେ କରୋନାଭୂତାଣୁର ମାତ୍ରାଧିକ ଉପସ୍ଥିତିରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହ ରୋଗୀର ଶରୀର ଫୁଲାକୁ ମଧ୍ୟ ଯଥେଷ୍ଟ କମାଇପାରୁଛି ବୋଲି ଏକ ଅନୁଧ୍ୟାନରୁ ସେମାନେ ଜାଣିପାରିଛନ୍ତି।

ତେଣୁ କରୋନାଭୂତାଣୁ ସାର୍ସ–କୋଭ୍–୨ ପରି କୌଣସି ଅଭିନବ ଭୂତାଣୁ ପାଇଁ କିଛି ନୂତନ ଔଷଧ ବାହାର କରିବା ଅପେକ୍ଷା ରୋଗୀର ଚିକିତ୍ସା ପଦ୍ଧତିରେ ‘ଇଣ୍ଟରଫେରନ୍–ଏ୨ବି’କୁ ପ୍ରାଥମିକତା ଦେବାକୁ ଅନ୍ୟତମ ସହଗବେଷକ ତଥା ଟରେଣ୍ଟା ବିଶ୍ବବିଦ୍ୟାଳୟର ପ୍ରଫେସର ଡା.ଏଲିନର ଫିସ୍‌ ପରାମର୍ଶ କରିଛନ୍ତି ।

 ନିକଟରେ କୋଭିଡ୍–୧୯ ରୋଗୀଙ୍କଠାରେ ଏହାର ପ୍ରୟୋଗ କରିବା ଦ୍ବାରା ସାତ ଦିନ ଭିତରେ ସେମାନଙ୍କର ଊର୍ଦ୍ଧ୍ବ ଶ୍ବାସନଳୀରେ ଦେଖାଯାଉଥିବା କରୋନାଭୂତାଣୁ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଜଣାପଡି଼ଥିଲା।

ସେହିପରି ରୋଗୀର ସାଂସପେଶୀରେ ଅସ୍ବାଭାବିକ ଫୁଲା ସୃଷ୍ଟିକରୁଥିବା ରକ୍ତର ଅନ୍ୟତମ ଉପାଦାନ ଆଇଏଲ୍–୬ ଏବଂ ସିଆର୍ପି ନାମକ ଦୁଇ ପ୍ରକାର ପ୍ରୋଟିନ୍ ପରିମାଣ ମଧ୍ୟ କମିଯାଉଛିା କରୋନାଭୂତାଣୁର ଉତ୍ପତ୍ତିସ୍ଥଳ ଭାବେ ବିବେଚିତ ଚୀନ୍ର ଉହାନ୍ ସହରର ୭୭ ଜଣ କୋଭିଡ୍–୧୯ ରୋଗୀଙ୍କ ଉପରେ ପରୀକ୍ଷାନିରୀକ୍ଷା ଚଳାଇ ଏହି ଗବେଷକମାନେ ଏଭଳି ନିଷ୍କର୍ଷରେ ପହଂଚ‌ି ପାରିଛନ୍ତି। ସେମାନଙ୍କ ଗବେଷଣାର ବିଶଦ ବିବରଣୀ ‘ଫ୍ରଣ୍ଟିଅର୍ସ ଇନ୍ ଇମ୍ୟୁନୋଲୋଜି’ ନାମକ ଏକ ସ୍ବାସ୍ଥ୍ୟ ଭିତ୍ତିକ ପତ୍ରିକାରେ ପ୍ରକାଶ ପାଇଛି।

Spread the love