ଦିନିକିଆ ରିମାଣ୍ଡରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌, ଡ୍ରଗ୍ସ ପାର୍ଟି ମାମଲାରେ ୩ ଜଣଙ୍କୁ ଗିରଫ କରିଛି NCB

ମୁମ୍ବାଇ ୦୩/୧୦ : ହାଇପ୍ରୋଫାଇଲ ରେଭ୍‌ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ହୋଇଛି । ଏନ୍‌ସିବି ପକ୍ଷରୁ ଜେରାବେଳେ ତାଙ୍କ ଫୋନର ହ୍ବାଟ୍ସଆପ୍‌ ଚାଟ୍‌ରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ।

ଆର୍ଯ୍ୟନ ଖାନଙ୍କ ସମେତ ଅନ୍ୟ ୨ ଜଣ ଅରବାଜ୍‌ ମର୍ଚାଣ୍ଟ ଏବଂ ମୁନ୍‌ମୁନ୍ ଧମେଚାଙ୍କୁ କୋର୍ଟରେ ହାଜର କରାଯିବା ପରେ ୨ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନ୍‌ସିବି । ତେବେ କୋର୍ଟ ଦିନକ ପାଇଁ ରିମାଣ୍ଡ​‌ରେ ନେବାକୁ ଅନୁମତି ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖ ଯାଏଁ ୩ ଜଣ ଏନ୍‌ସିବି ହେପାଜତରେ ରହିବା ସ୍ପଷ୍ଟ ହୋଇଛି । ଏହି ମାମଲାର ଶୁଣାଣି ଆସନ୍ତାକାଲି ହେବ ।

ସୂଚନାଯୋଗ୍ୟ, ମୁମ୍ବାଇରେ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି। ଏନସିବିକୁ ସୂଚନା ମିଳିଥିଲା ଯେ, ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଉଛି। ଏନସିବି ଅଧିକାରୀ ଯାତ୍ରୀ ହୋଇ କ୍ରୁଜକୁ ଯାଇଥିଲେ। ଶନିବାର ଦିନ ରେଭ ପାର୍ଟି ଚାଲିଥିଲାବେଳେ ସେ ଚଢ଼ଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି। ଜବତ ହୋଇଥିବା ଡ୍ରଗ୍ସ ଏମଡି କୋକ ଓ ହଶିଶ।

ଏନସିବି ମୁଖ୍ୟ ଏସଏନ ପ୍ରଧାନ କହିଛନ୍ତି ଯେ ଦୁଇ ସପ୍ତାହ ଯାଞ୍ଚ ପରେ ଚଢ଼ଉ କରାଯାଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଲିଙ୍କ ସାମ୍ନାକୁ ଆସିଛି। ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟାରେ ବଲିଉଡ କିମ୍ବା କୌଣସି ଧନୀ ଲୋକଙ୍କ ଲିଙ୍କ ସାମ୍ନାକୁ ଆସିଲେ ମଧ୍ୟ ଏନସିବି ଆଇନ ପରିସରରେ ରହି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷେ ମଧ୍ୟରେ ମୁମ୍ବାଇରେ ୩୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଛି। ଆଗକୁ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି। ଦେଶକୁ ଡ୍ରଗ୍ସ ମୁକ୍ତ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି।

Spread the love