୫ଥର ସାଂସଦ, ରାଜୀବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ, ଅତୀତରେ ୪ ରାଜ୍ୟର ରାଜ୍ୟପାଳ..ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା

ନୂଆଦିଲ୍ଲୀ ୧୭।୭:  ମିଳିତ  ବିରୋଧୀ ଦଳ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରବିବାର ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକ ପରେ ଏନସିପି ମୁଖିଆ ଶରଦ ପାୱାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛନ୍ତି। ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱୀତା ହେବ। ମାର୍ଗାରେଟ ଆଲଭା ୫ ଥର ସାଂସଦ ଓ ରାଜୀବ ଗାନ୍ଧିଙ୍କ ମନ୍ତ୍ରୀମଣ୍ଡଳରେ  ମନ୍ତ୍ରୀ ମଧ୍ୟ ଥିଲେ।

୮୦ ବର୍ଷିୟ ଆଲଭାକୁ ପ୍ରାର୍ଥୀ ଘୋଷଣା କରି ପାୱାର କହିଛନ୍ତି ଯେ ୧୭ ବିରୋଧୀ ଦଳ ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ୧୯ ଜୁଲାଇ ମଙ୍ଗଳବାର ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ। ୬ ଅଗଷ୍ଟ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ୧୯ ଜୁଲାଇ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆଲଭା ୧୪ ଏପ୍ରିଲ ୧୯୪୨ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ପଦାର୍ଥ ବିଜ୍ଞାନରେ ସ୍ନାତକ ଉତୀର୍ଣ୍ଣ ହେବା ପରେ ରାଜସ୍ଥାନ ୟୁନିଭର୍ସିଟିରେ ଏଲଏଲବି ପଢିଥିଲେ।

ମାର୍ଗାରେଟ ଆଲଭା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ମଧ୍ୟ। ସେ ଗୋଟିଏ ଲୋକସଭା କାର୍ଯ୍ୟକାଳ ନିମନ୍ତେ ନିର୍ବାଚିତ ହୋଇଥିବା ବଳେ ୪ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଆଲଭାଙ୍କୁ କେନ୍ଦ୍ର କ୍ୟାବିନେଟରେ ସଂସଦୀୟ ଓ ଯୁବ ବ୍ୟାପାର ବିଭାଗର ଦାୟିତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ନରସିଂହା ରାଓ ସରକାରରେ ଅନେକ ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ। ଆଲଭା ରାଜସ୍ଥାନ, ଗୋଆ, ଗୁଜରାଟ ଓ ଉତ୍ତରାଖଣ୍ଡ ରାଜ୍ୟପାଳ ମଧ୍ୟ ଥିଲେ। ଆଲଭା ୨୦୦୮ ମସିହାରେ ଚର୍ଚ୍ଚାରେ ଥିଲେ ଯେତେବେଳେ ସେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ଉପରେ ଟିକେଟ୍ ବିକ୍ରିର ଅଭିଯୋଗ ଆଣିଥିଲେ। ଏଥି ଯୋଗୁ ତାଙ୍କୁ ପାର୍ଟି ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଥିଲା। ତେବେ ଗାନ୍ଧି ପରିବାରଙ୍କ ସହ ତାଙ୍କର ନିକଟତମ ସମ୍ପର୍କ ଯୋଗୁ ପରେ ଉତ୍ତରାଖଣ୍ଡ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।

Spread the love