ଦୂତି-ମୋନାଲିସାଙ୍କ ସିନ୍ଦୂର ଫଟୋକୁ ନେଇ ଫେସବୁକରେ ବିବାଦୀୟ ମନ୍ତବ୍ୟ ରଖିଲେ ଭଉଣୀ ସରସ୍ବତୀ ଚାନ୍ଦ
ଭୁବନେଶ୍ୱର: ଦୌଡ଼ରାଣୀ ଦୂତି ଚାନ୍ଦ ତାଙ୍କର ସମଲିଙ୍ଗୀ ସଂପର୍କକୁ ସାର୍ବଜନୀନ କରିସାରିବା ପରେ ଏବେ ବିବାହ ପାଇଁ ଯୋଜନା କଲେଣି। କିନ୍ତୁ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ସେ ତାଙ୍କ ଜୀବନସାଥୀ ମୋନାଲିସା ଦାସଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି। ଜଣାଶୁଣା ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ପ୍ରଚ୍ଛଦରେ ସ୍ଥାନ ପାଇବା ପରେ ଦୂତି-ମୋନାଲିସାଙ୍କ ବିବାହ ଚର୍ଚ୍ଚା ପୁଣି ଜୋର ଧରିଛି। ପ୍ରଚ୍ଛଦ ପୃଷ୍ଠାରେ ମୋନାଲିସାଙ୍କ ମଥାରେ ଦୂତି ସିନ୍ଦୂର ଲଗାଉଥିବାର ଆକର୍ଷଣୀୟ ଫଟୋ ସ୍ଥାନ ପାଇଛି। ତେବେ ଉଭୟଙ୍କ ଅନେକ ଅନ୍ତରଙ୍ଗ ମୁହୂର୍ତର ଫଟୋ ମଧ୍ୟ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଓ ନିନ୍ଦୁକମାନଙ୍କୁ ମତ ରଖିବାର ସୁଯୋଗ ଦେଇଛି। ଏହାରି ଭିତରେ ଦୂତିଙ୍କ ବଡ ଭଉଣୀ ତଥା ଧାବିକା ସରସ୍ବତୀ ଚାନ୍ଦ ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି। ଏହି ଟିପ୍ପଣୀରେ ସେ ଅନେକ ବିବାଦୀୟ ପ୍ରସଙ୍ଗ ଉଠାଇଛନ୍ତି ଓ ମୋନାଲିସାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
ସରସ୍ବତୀ ଫେସବୁକରେ ଲେଖିଛନ୍ତି ଯେ ‘ଦୂତି ଖେଳରୁ ଦୂର ହୋଇଯାଇଛନ୍ତି ଓ ଏଥର ମୋନାଲିସାଙ୍କ ମଥାରେ ସବୁଦିନ ସିନ୍ଦୂର ଦେବେ’ | ସେହିପରି ମୋନାଲିସାଙ୍କ ମା’ କିଭଳି ଦିନେ ଦୂତିଙ୍କୁ ଆକ୍ଷେପ କରୁଥିଲେ ଓ ଦୁହିଁଙ୍କ(ଦୂତି-ମୋନାଲିସା) ସମ୍ପର୍କ ପଛର ଅସଲ ରହସ୍ୟ କ’ଣ ସେ ନେଇ ପୋଷ୍ଟ କରିଛନ୍ତି | ତେବେ ଏସବୁ କଥା କେତେ ସତ, ତାହା ଯଦିଓ ଜଣାପଡିନାହିଁ କିନ୍ତୁ ସରସ୍ବତୀଙ୍କ ଗୋଟିଏ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି | ସରସ୍ବତୀ ଲେଖିଛନ୍ତି ଯେ,’ଦୂତିଙ୍କର ସିନା ଆଣ୍ଡ୍ରୋଜେନ ସମସ୍ୟା ଅଛି ତେଣୁ ଝିଅଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି, ହେଲେ ମୋନାଲିସା ପୁଅଙ୍କ ପ୍ରତି ଆକୃଷ୍ଟ ହୋଇ ….. ଆଉ କାହା ସହ….. ଦୂତିର ଅଜାଣତରେ କିଛି କରୁନାହିଁ ତ???’ ଉଲ୍ଲେଖ ଥାଉ କି ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ସରସ୍ବତୀ ଦୂତିଙ୍କୁ ସମାଲୋଚନା କରିଛନ୍ତି | ପୂର୍ବରୁ ଅନେକ ଥର ଉଭୟ ଭଉଣୀ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ କରିଆସିଛନ୍ତି।