ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି: ନକଲି ଜମିରେ ନକଲି ଚାଷୀ
କେନ୍ଦୁଝର: ଜମି ନକଲି। ଚାଷ ବି ନକଲି। କିଛି ସ୍ଥାନରେ କୋଠାଘର ଥିବା ଜମି ଓ ପୋଖରୀକୁ ମଧ୍ୟ ଚାଷଜମି ଦର୍ଶାଯାଇଛି। ଏସବୁ ଜମିର କାଗଜପତ୍ରକୁ ବ୍ୟବହାର କରାଯାଇ ଧାନବିକ୍ରି କରିବାକୁ ଯୋଜନା ହୋଇଛି। ଏବେ ଏସବୁ ଉପରୁ ପରଦା ଉଠାଇଛନ୍ତି ସରକାରଙ୍କ କୃଷି ବିଭାଗ। ସାଟେଲାଇଟ୍ ସର୍ଭେରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ତାହା ହେଲା- ରାଜ୍ୟରେ ବରଗଡ଼ ଜିଲ୍ଲାରେ ଏଭଳି ନକଲି ପ୍ଲଟ୍ ସଂଖ୍ୟା ସର୍ବାଧିକ। ଏହା ପଛରେ ରହିଛି କେନ୍ଦୁଝର।
ରାଜ୍ୟ ସରକାର ଯେ କୌଣସି ମୁହୂର୍ତରେ ମଣ୍ଡି ଖୋଲିବେ। ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହେବ। ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ଢେର୍ ଆଗରୁ ଧାନଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଏଥିରେ ଚାଷୀମାନଙ୍କୁ ଧାନବିକ୍ରି କରିବାପାଇଁ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ ୫୩୬୪ ଜାଲ୍ ଚାଷୀ ଚିହ୍ନଟ ହୋଇଥିଲେ। ମାଲକାନଗିରି ଏଥିରେ ଆଗରେ ଥିଲା। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ସାଟେଲାଇଟ୍ ସର୍ଭେ ଆରମ୍ଭ ହୋଇଛି। ଏଥିରୁ ଜଣାପଡ଼ିଛି ଯେ ଚାଷୀମାନେ ଧାନବିକ୍ରି କରିବା ପାଇଁ ପଞ୍ଜୀକରଣ କରିବାବେଳେ ଯେଉଁ ଜମିଜମା ସମ୍ପର୍କିତ ତଥ୍ୟ ଦେଇଥିଲେ ସେଥିରେ ବି ଅନେକ ନକଲି ରହିଛି। ଅର୍ଥାତ୍ ଅନେକ ଜାଲି ପ୍ଲଟ୍ ଦେଇ ଏହାକୁ ଚାଷ ଜମି ବୋଲି ଉଲ୍ଲେଖ କରିଛନ୍ତି ଓ ଏଥିରେ ଧାନ ଚାଷ ହୋଇଥିବା ଦର୍ଶାଇଛନ୍ତି। ଏସବୁ ସାଟେଲାଇଟ୍ ସର୍ଭେରେ ଧରାପଡ଼ିଯାଇଛି।
ତାଲିକାର ଉପରେ ରହିଛି ବରଗଡ଼। ଏଠାରେ ମୋଟ୍ ୮୭ ହଜାର ୬୧୫ଟି ନକଲି ପ୍ଲଟ୍ ଥିବା ସର୍ଭେରୁ ଜଣାପଡ଼ିଛି। ଏହା ପଛକୁ ରହିଛି କେନ୍ଦୁଝର। ଏଠାରେ ୮୧ ହଜାର ୩୫୭ଟି ପ୍ଲଟ୍ରେ ଧାନଚାଷ ହୋଇନଥିବା ଜଣାପଡ଼ିଛି, ଅଥଚ ଏହି ଜମି ଦେଖାଇ ଧାନ ବିକ୍ରି କରିବାକୁ ଷଡ଼୍ଯନ୍ତ୍ର ହୋଇଥିଲା। କେବଳ ଏହି ଦୁଇଟି ଜିଲ୍ଲା ନୁହେଁ, ସମ୍ବଲପୁର ଜିଲ୍ଲାରେ ୫୦ ହଜାର ୫୫୯ଟି, କଳାହାଣ୍ଡି ଜିଲ୍ଲାରେ ୪୮ ହଜାର ୫୯୪ଟି, ବଲାଙ୍ଗୀର ଜିଲ୍ଲାରେ ୪୬ ହଜାର ୩୩୪ଟି, ସୁବର୍ଣ୍ଣପୁର ଜିଲ୍ଲାରେ ୨୭ ହଜାର ୯୩ଟି, ନୂଆପଡ଼ା ଜିଲ୍ଲାରେ ୨୩ ହଜାର ୫୮୭ଟି ଓ ବୌଦ୍ଧ ଜିଲ୍ଲାରେ ୨୨ ହଜାର ୫୩୬ଟି ସନ୍ଦିଗ୍ଧ ପ୍ଲଟ୍ ଚିହ୍ନଟ ହୋଇଛି। ଅନ୍ୟ ଜିଲ୍ଲା ଯାଞ୍ଚ ଜାରି ରହିଛି। ରାଜ୍ୟ ସରକାର ସାଟେଲାଇଟ୍ ସର୍ଭେ ମାଧ୍ୟମରେ ଏସମ୍ପର୍କରେ ଜାଣିବା ପରେ ଏବେ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏଠାରେ ଉଲ୍ଲେଖଥାଉକି, ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ମୋଟ୍ ୬୦ ହଜାର ୯୪୧ଜଣ ଚାଷୀ ଧାନବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଥିଲେ। ଗତବର୍ଷ ଏହି ସଂଖ୍ୟା ୬୪ ହଜାର ୨୦୨ ଥିଲା। ଏବେ ସାଟେଲାଇଟ୍ ସର୍ଭେ ପରେ ଜଣାପଡ଼ିଛି ଯେ ଅଳତି ସମବାୟ ସମିତିରେ ୧୧୩୯ଟି ପ୍ଲଟ୍ ନକଲି ରହିଛି। ସେହିଭଳି ଆନନ୍ଦପୁର ସମବାୟ ସମିତିରେ ୩୩୦ଟି, ବଡ଼ରମ୍ପାସରେ ୧୧୨୯ଟି, ବଳରାମପୁରର ୧୯୭୩ଟି, ବାଙ୍ଗୋରରେ ୧୨୧୨ଟି, ବାତୋରେ ୧୬୩୧ଟି, ବାଉଁଶଗଡ଼ରେ ୨୫୨ଟି, ବେଲବାହାଳିରେ ୪୦୯୯ଟି, ଭଣ୍ଡାରେ ୩୦୯୯ଟି, ଚମ୍ପୁଆରେ ୧୩୨୭ଟି, ଡଅଁରରେ ୩୩୫୫ଟି, ଦରଡ଼ିପାଳରେ ୧୮୯୮ଟି, ଦେଓଗାଁରେ ୧୮୭୪ଟି, ଢେଙ୍କିକୋଟରେ ୧୩୨୮ଟି, ଫକୀରପୁରରେ ୧୭୩୯ଟି, ଗଡ଼ବାନ୍ଧଗୋଡ଼ାରେ ୮୭୭ଟି, ଗୟଳମୁଣ୍ଡାରେ ୬୦୩ଟି, ଗୋନାସିକାରେ ୧୯୬ଟି, ହରିଚନ୍ଦନପୁରରେ ୫୧୩୯ଟି, ଜଂଘିରାରେ ୫୪୮୯ଟି, ଝୁମ୍ପୁରାରେ ୧୦୭୫ଟି, କାଳିଆହତାରେ ୭୧୨ଟି, କେଶଦୁରାପାଳରେ ୫୨୪ଟି, ଖଲଣାରେ ୨୩୩୨ଟି, ଖାଳିଆମେଣ୍ଟାରେ ୧୨୬୩ଟି, କୋଡ଼ପଡ଼ାରେ ୮୮୦ଟି, ମରୈଗାଁରେ ୧୩୪୯ଟି, ନୟାକୋଟରେ ୨୮୪ଟି, ପଳାଶପଙ୍ଗାରେ ୧୬୩୨ଟି, ପାଞ୍ଚଗୋଛିଆରେ ୧୫୭୪ଟି, ପଞ୍ଚୁପଲ୍ଲୀରେ ୯୦୦ଟି, ପଣସଡିହାରେ ୩୦୭ଟି, ପାଟଣାରେ ୪୦୨୪ଟି, ରାଜନଗରରେ ୩୨୧୯ଟି, ନରଣପୁରରେ ୩୪୬୪ଟି, ସଢ଼ାରେ ୧୩୩୨ଟି, ସାହାରପଡ଼ାରେ ୩୧୨୨ଟି, ଶୈଲଙ୍ଗରେ ୨୦୦୪ଟି, ଶାଳଦେଈରେ ୨୦୨୭ଟି, ସମଣାରେ ୨୯୨୨ଟି, ଶିରିଗିଡ଼ାରେ ୧୦୧୦ଟି, ସୋସୋରେ ୧୭୫୪ଟି, ଶୁଆକାଟିରେ ୫୬୬ଟି, ତରତରାରେ ୧୪୬୭ଟି, ତେଲକୋଇରେ ୧୬୫୧ଟି ଏବଂ ଉଖୁଣ୍ଡାରେ ୧୨୭୪ଟି ସନ୍ଦିଗ୍ଧ ଚାଷଜମିର କାଗଜପତ୍ର ଦେଇ ଚାଷୀମାନେ ଧାନବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। କ୍ଷେତ୍ର ପରିଦର୍ଶନ ବେଳେ ଆହୁରି ଅନେକ ରୋଚକ ତଥ୍ୟ ସମ୍ନାକୁ ଆସିବ ବୋଲି କୁହାଯାଉଛି।