ଯୋଗ ଏବଂ ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ବିଶ୍ୱକୁ ଏକତ୍ର କରିହେବ

ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଉକ୍ରଳ ମଣ୍ଡପ ଠାରେ ବିଶ୍ୱଗୁରୁ ପରମହଂସ ୟୋଗାନନ୍ଦଙ୍କର ପାଶ୍ଚାତ୍ୟ ଗମନର ଏକଶତ ବର୍ଷ ପୂର୍ତି ପାଳନ ଏବଂ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କହିଛନ୍ତି ଯେ, ବିଶ୍ୱକୁ ଏକ କରିବା ପାଇଁ ଆଜି ଏହି କାର୍ଯ୍ୟକ୍ରମ କରାଯାଇଛି I  ସବୁ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମର ଗୋଟିଏ ଲକ୍ଷ୍ୟ ରହିଛି ପରମାତ୍ମାଙ୍କୁ ପ୍ରାପ୍ତ ହେବା । ବିଶ୍ୱକୁ ଏକ କରିବାରେ ପରମହଂସଙ୍କର ଅନେକ ଅବଦାନ ରହିଛି । ଭାରତର ତତ୍ୱଜ୍ଞାନକୁ ସେ ସର୍ବବ୍ୟାପୀ କରାଇଥିଲେ । ଯୋଗ ଏବଂ ଆଧ୍ୟାତ୍ମିକ ଚେତନା ଦ୍ୱାରା ଆମେ ଆମ ମନକୁ ଶୁଦ୍ଧ କରିପାରିବା । ତତ୍ୱ ଦର୍ଶନ ଅନୁଯାୟୀ ଆମେ ସମସ୍ତେ ଏକ । ଏବେ ସମୟ ଆସଛି ଆମେ ଏକାଠୀ ହୋଇ ଆଧ୍ୟାତ୍ମିକ ଚେତନାକୁ ସାରା ବିଶ୍ୱରେ ପହଂଚାଇ ଏକ ନୂତନ ବିଶ୍ୱ ନିର୍ମାଣ କରିବା ।
ଅନ୍ୟତମ ଅତିଥୀ ଭାବେ ଜଗତସିଂହପୁର ଲୋକସଭା ସାଂସଦ ଡ. ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ, ଜୀବନରେ ଶାନ୍ତି ଏବଂ ମୁକ୍ତି
ପାଇବାକୁ ହେଲେ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ରହିଛି । ଆଧ୍ୟାତ୍ମିକ ଏବଂ ନୈତିକ ଶିକ୍ଷା ଦ୍ୱାରା ସମାଜରେ ସୁଧାର ଆସିପାରିବ ।
କ୍ରିୟା ଯୋଗର ପ୍ରଚାର ପ୍ରସାର ପାଇଁ ପରମହଂସ ୟୋଗାନନ୍ଦ ପାଶ୍ଚାତ୍ୟ ଦେଶକୁ ଗମନ କରିଥିଲେ । ମନୁଷ୍ୟ ଜୀବନରେ
ଯୋଗର ଆବଶ୍ୟକତା ରହିଛି । କ୍ରିୟାଯୋଗ କଲେ ମନୁଷ୍ୟର ମନ ଏବଂ ଶରୀରର ଉପରେ ଅନେକ ପ୍ରଭାବ ପଡିଥାଏ । ଆଧ୍ୟାତ୍ମିକବାଦୀ ନହେଲେ ମାନବ ଜନ୍ମର ସୁଫଳ ମିଳିବ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ କହିଛନ୍ତି । ଭୋଗ ମାଧ୍ୟମରେ ଆନନ୍ଦ ମିଳିପାରିବ ନାହିଁ ବରଂ ଯୋଗ ଦ୍ୱାରା ଆମେ ମୁକ୍ତିର ବାଟ ପାଇପାରିବା ବୋଲି ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ କହିଛନ୍ତି । କ୍ରିୟା ଯୋଗର ମୂଳ ହେଉଛି ଶ୍ୱାସ ଏବଂ ଶ୍ୱାସ ହିଁ ଭଗବାନ । ଭଗବାନ ସମସ୍ତ ଚରାଚରରେ ଅବସ୍ଥାପିତ ଅଛନ୍ତି କେବଳ ସାଧାନା ଦ୍ୱାରା ତାଙ୍କୁ ଉପଲବ୍ଧୀ କରିହେବ । ସମସ୍ତେ ଏକ ହୋଇ ଭଗବାନଙ୍କ ଶରଣାପନ୍ନ ହେବା ସହ ସାରା ବିଶ୍ୱରେ ଭାତୃଭାବ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ପରମହଂସ ପ୍ରଜ୍ଞାନାନନ୍ଦ କହିଛନ୍ତି ।
ସ୍ୱାମୀ ସମର୍ପଣା ନନ୍ଦ ଗିରି କାର୍ଯ୍ୟକ୍ରମର ସଭାପତିତ୍ୱ କରି କ୍ରିୟା ଯୋଗରେ ଗୁରୁ ପରମହଂସ ୟୋଗାନନ୍ଦଙ୍କ ସାରା ବିଶ୍ୱକୁ
ଦେଇଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଧର୍ମଗନ୍ଥ ଉନ୍ମୋଚନ କରାଯାଇଥିଲା । କ୍ରିୟା ଯୋଗ ମାଧ୍ୟମରେ ଭଗବାନଙ୍କ କୃପା ମିଳିପାରିବ ବୋଲି ୧୯୨୦ ମସିହାରେ ବିଶ୍ୱଗୁରୁ ପରମହଂସ ୟୋଗାନନ୍ଦ ପାଶ୍ଚାତ୍ୟ ଦେଶକୁ ଯାଇ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରିଥିଲେ । ଏଥି ସହ ପରମହଂସ ୟୋଗାନନ୍ଦ ସନାତନ ଧର୍ମର ମାହାତ୍ମ୍ୟ ଏବଂ କ୍ରିୟା ଯୋଗର ଉପକାରିତା ସଂପର୍କରେ ବିଦେଶରେ ପ୍ରଚାର ପ୍ରସାର କରିଥିଲେ । ପାଶ୍ଚାତ୍ୟ ଗମନର ଏକଶତ ବର୍ଷ ପୂର୍ତି ଅବସରରେ କ୍ରିୟା ଯୋଗ ପରିବାର ସଦସ୍ୟମାନେ ତାଙ୍କ ସ୍ମୃତି ଚାରଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥଲେ । କାର୍ଯ୍ୟକ୍ରମ ପୂର୍ବରୁ ଜୟଦେବ ବିହାର ସ୍ଥିତ ତିରୁମାଳା ତିରୁପତି କଲ୍ୟାଣ ମଣ୍ଡପରୁ ଉକ୍ରଳ ମଣ୍ଡପ ପର୍ଯ୍ୟନ୍ତ ଏକ ବିରାଟ ଆଧ୍ୟାତ୍ମିକ ଶୋଭାଯାତ୍ରା କରାଯାଇ ଗୀତାର ମାହାତ୍ମ୍ୟ
ସଂପର୍କରେ ସଚେତନ କରାଯାଇଥିଲା । ଆସନ୍ତା ଜାନୁଆରୀ ୭ ତାରିଖ ଦିନ କ୍ରିୟା ଯୋଗ ଦୀକ୍ଷା ଜୟଦେବବିହାର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏଥି ସହ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଉକ୍ରଳ ମଣ୍ଡପ ଠାରେ ପ୍ରତିଦିନ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ ଏବଂ ଆଧ୍ୟାତ୍ମିକ ବାଖ୍ୟା କରିବେ ।

Spread the love