ବିନା ଭିତିଭୂମି ଓ ବିନା ପୋଲିସ କର୍ମଚାରୀରେ ନୂତନ ପୋଲିସ ଡିଜି କରିବେ କ’ଣ? : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ରାଜ୍ୟରେ ୪୧୯୬ଟି ପୋଲିସ ପଦବୀ ଖାଲି । ଜନସଂଖ୍ୟା ଆଧାରରେ ପୋଲିସ ସଂଖ୍ୟା ବହୁତ କମ୍ । ଦେଶରେ ପୋଲିସ ବ୍ୟବସ୍ଥା ପାଇଁ ସବୁଠାରୁ କମ୍ ଖର୍ଚ୍ଚ କରେ ଓଡିଶା ରାଜ୍ୟ, ଯାହାକି ରାଜ୍ୟ ବଜେଟର ମାତ୍ର ୦.୬ ପ୍ରତିଶତ । କେଉଁଠି ଥାନା ଅଛି ତ ଥାନାଧିକାରୀ ନାହାଁନ୍ତି କେଉଁଠି ଥାନାଧିକାରୀ ଥିଲେ କର୍ମଚାରୀ ନାହାଁନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୋଲିସର ଅତ୍ୟାଧୁନିକ ଭିତିଭୂମି ନାହିଁ । ଅଧିକାଂଶ କ୍ଷେତ୍ରରେ ପୋଲିସ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ଦୁର୍ନୀତିରେ ଲିପ୍ତ ଥିବାର ଅନେକ ଦୃଷ୍ଟାନ୍ତ ରହିଛି । ବୋଲକରା ସାଜି ଶାସକ ବିଜେଡିର ଦଳୀୟ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରୁଥିବାର ମଧ୍ୟ ଅନେକ ପ୍ରମାଣ ରହିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡିପଡିଛି । ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ତଥା ହିଂସା ପ୍ରତିଦିନ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଚିଛି । ନିଶା ବେପାର, ଗଞ୍ଜେଇ ଚାଲଣ, ସାଇବର କ୍ରାଇମ୍‌ରେ ଓଡିଶା ରାଜ୍ୟ ଶୀର୍ଷରେ ପହଁଚିଲାଣି । ପୋଲିସର କାର୍ଯ୍ୟର ନିରପେକ୍ଷତାକୁ ନେଇ ଓଡିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ନୂତନ ଭାବେ ନିଯୁକ୍ତ ପାଇଥିବା ପୋଲିସ୍ ଡିଜି ସୁନୀଲ୍ ବଂଶଲ୍ ଯେତେ ଦକ୍ଷ
ହେଲେବି, ବିନା ଭିତିଭୂମି ଓ ବିନା ପୋଲିସ କର୍ମଚାରୀରେ ଏଠାରେ କରିବେ କ’ଣ ବୋଲି ଭାରତୀୟ ଜନତାପାର୍ଟିର ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ପ୍ରଶ୍ନ କରିଛନ୍ତି । ପୋଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ହେବାର ପ୍ରଥମ ପ୍ରତିକ୍ରିୟା ରୂପେ ମହିଳା ସୁରକ୍ଷାକୁ ଅଗ୍ରାଧିକାର ଦେବାର ଯେଉଁ ଘୋଷଣା ଶ୍ରୀ ବଂଶଲ କରିଛନ୍ତି ତାହା ବର୍ତମାନର ସରକାରୀ ବ୍ୟବସ୍ଥାରେ କେତେ ଦୂର ବିଶ୍ୱାସଯୋଗ୍ୟ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ୨୭ବର୍ଷ ପରେ ଓଡିଶାକୁ ଫେରିଥିବା ନୂତନ ଡିଜିପି ଶ୍ରୀ ବଂଶଲ୍ ରାଜ୍ୟବାସୀଙ୍କ ସୁରକ୍ଷା ଏବଂ ସେବା ଉପରେ ଗୁରୁତ୍ୱ ଦେବେ ବୋଲି ଆଶା ବ୍ୟକ୍ତ କରିବା ସହ ନୂତନ ଦାୟିତ୍ୱ ପାଇଁ ଶ୍ରୀ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି ।

Spread the love