ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟ ପଟ୍ଟନାୟକ

ବିଜେଡିରୁ ବହିଷ୍କୃତ ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ କରିବା ପରେ ସୌମ୍ୟ ଏହି ଘୋଷଣା କରିଛନ୍ତି । ସୌମ୍ୟ ବିଜେପିରୁ ଘସିପୁରା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିଲା, ମାତ୍ର ବିଜେପି ସେଠାରେ ଡଃ ଶମ୍ଭୁନାଥ ରାଉତଙ୍କୁ ଗତକାଲି ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।

ଆଜି ଆନନ୍ଦପୁରଠାରେ ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି ଯେ, ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଘସିପୁରାର ଲୋକମାନେ ପରାମର୍ଶ ଦେଇଛନ୍ତି । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ଆସନ୍ତା ୬ତାରିଖରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ସୌମ୍ୟ ଗତ ୩ଦିନ ତଳେ କେନ୍ଦୁଝର ଗସ୍ତରେ ଯାଇ ମା’ତାରିଣୀଙ୍କ ଦର୍ଶନ କରିଥିଲେ । ସେହି ସମୟରେ ତାଙ୍କୁ ବିଭିନ୍ନ ଛକରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସୌମ୍ୟ ମଧ୍ୟ ବିଜେପି ତାଙ୍କୁ ଘସିପୁରାରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମାତ୍ର ଗତକାଲି ବିଜେପି ସେଠାରେ ସୌମ୍ୟଙ୍କ ବଦଳରେ ଶମ୍ଭୁନାଥଙ୍କୁ ପ୍ରାର୍ଥୀ କରିଥିଲା ।

ସେହିପରି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ବିଜେପି ଟିକେଟ୍ ନଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବରି ବିଧାନସଭା ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ସହ ବରିବାସୀ ଅଛନ୍ତି । କୌଣସି ଦଳ ତାଙ୍କ ପାଇଁ ବଡ଼ ନୁହେଁ ବରଂ ବରିବାସୀଙ୍କ ସୁଖଦୁଃଖରେ ରହିବାକୁ ସେ ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି ।

Spread the love