ଜୟ ମା’ ତାରିଣୀ କହି କେନ୍ଦୁଝରରେ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ୪୭୦୩ କୋଟି ଟଙ୍କାର ଭେଟି ଦେଇଛନ୍ତି । ଯେଉଁଥିରେ ୨୫୯ଟି ପ୍ରକଳ୍ପ ରହିଛି । ସେହିଭଳି ମିଶନ ଶକ୍ତିର ମା’ଙ୍କୁ ବିନା ସୁଧରେ ଋଣ ସହାୟତା ବାବଦକୁ ୩୭୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ସଭାରେ ଜୟ ମା’ ତାରିଣୀ କହି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ବିପ୍ଲବୀ ଧରଣୀଧରଙ୍କୁ ମନେ ପକାଇବା ସହ ନବୀନ କହିଥିଲେ, କେବଳ କେନ୍ଦୁଝର ନୁହେଁ ସାରା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଗୌରବର ଦିନ ।କେନ୍ଦୁଝରବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଛି । କେନ୍ଦୁଝରରେ ଡିଡି ମେଡିକାଲ କଲେଜର ଉଦଘାଟନ ହେଲା । ଏହା ରାଜ୍ୟର ୧୦ ମେଡିକାଲ କଲେଜ । ଆଶା କରୁଛି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୱାଲିଟେଟିଭ୍ ହେଲଥ କେୟାର ଯୋଗାଇଦେବାରେ ଏହା ସଫଳ ହେବ । ଅଧିକ ଡାକ୍ତର ବାହାରିବେ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ । 

ଗରିବ ଲୋକମାନଙ୍କୁ ଆଉ ସ୍ୱାସ୍ଥ୍ୟ ସେବା ପାଇଁ କଟକ, ଭବନେଶ୍ୱର ଯିବାକୁ ପଡିବ ନାହିଁ । ଏହି ମେଡିକାଲ କଲେଜ ସହ, କ୍ୟାନସର କେୟାରିଂ ଓ ନର୍ସିଂ କଲେଜ ଖୁବଶୀଘ୍ର ଖୋଲାଯିବ । ମୁଁ ସବୁବେଳେ କହିଆସିଛି, ପ୍ରତିଟି ଜୀବନ ମୋ ପାଇଁ ମୁଲ୍ୟବାନ, ଏହି ନୀତି ଆମ ସ୍ୱାସ୍ଥ୍ୟସେବାକୁ ବାଟ ଦେଖାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଲୋକ ସୁବିଧା ପାଇଥିବେ । ମା ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ୫ ଲକ୍ଷର ଚିକିତ୍ସା ସୁବିଧା ମିଳୁଛି । ଏ ଯୋଜନା ସାରା ଭାରତରେ ଭଲ ଯୋଜନା । ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୩୦ ହଜାର ଲୋକ ଏହାର ସୁବିଧା ନେଇଛନ୍ତି । ୧୮ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେନ୍ଦୁଝରରେ ମଧ୍ୟ ୨୪ ହଜାର ଲୋକ ଏହି ଯୋଜନାରେ ସୁବିଧା ପାଉଛନ୍ତି ।

ସେହିଭଳି ନବୀନ କହିଛନ୍ତି, ଆମ ରାଜ୍ୟ ଏକ ଖଣି ସମୃଦ୍ଧ ଅଂଚଳ । ସାରା ରାଜ୍ୟର ବିକାଶରେ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କେନ୍ଦୁଝରରେ ବହୁ ମାତ୍ରରେ ଏସସି, ଏସଟି ଲୋକ ଅଛନ୍ତି । ଚାଷୀ ଭାଇ ଅଛନ୍ତି । ମିଲେଟ୍ ମିଶନରେ ଭଲ କାମ କରି ଆମ କେନ୍ଦୁଝରର ଚାଷୀ ଭାଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । କେନ୍ଦୁଝରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । କେନ୍ଦୁଝରର ବିକାଶ ପାଇଁ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା । ଯେଉଁଥିରେ ମା ମାନଙ୍କ କଲ୍ୟାଣଠୁ ଆରମ୍ଭ କରି ଚାଷୀ ଓ ସ୍କୁଲ ରୂପାନ୍ତର ଯୋଗାଯୋଗର ବିଭିନ୍ନ କାମ ଉପରେ ଜୋର ଦିଆଯାଇଛି । ମିଶନ୍ ଶକ୍ତିର ମା’ ମାନଙ୍କୁ ଉଦ୍ୟୋଗୀ କରିବା ସରକାରର ଲକ୍ଷ୍ୟ । ସେଥିପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଇଛି । କେନ୍ଦୁଝରର ମିଶନ ଶକ୍ତିର ମା’ଙ୍କୁ ୩୮୦ କୋଟି ଟଙ୍କା ସହାୟତା ଦିଆଯାଇଛି । ଚାଷୀ, ମହିଳା ଓ ଯୁବ ସମାଜ ଆମର ରାଜ୍ୟର ତ୍ରି-ଶକ୍ତି । ଏହିମାନେ ହିଁ ଆମ ରାଜ୍ୟର ପ୍ରଗତିର ସାରଥୀ । ଏକ ବିକଶିତ ଓଡିଶାର ସ୍ୱପ୍ନକୁ ପୂରଣ କରିବାରେ ଏହି ତିନି ଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love