ଗ୍ରାହଙ୍କ ଲାଗି SBIଙ୍କ ସତର୍କତା, ଏହି ଡକ୍ୟୁମେଣ୍ଟ ଅପଡେଟ୍ ନଥିଲେ ମିଳିବନି ଟଙ୍କା

ନୂଆଦିଲ୍ଲୀ ୨୪।୧୧: ଭାରତର ସର୍ବ ବୃହତ୍ତ ବ୍ୟାଙ୍କ  ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସମୟ ସମୟରେ ତାଙ୍କ ଗ୍ରାହକଙ୍କ ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ଏଥିରୁ ଗ୍ରାହକ ମଧ୍ୟ ବେଶ ଲାଭବାନ ହୁଅନ୍ତି। ଏହି କ୍ରମରେ ଏସବିଆଇ ଗ୍ରାହକଙ୍କ ଲାଗି ଏକ ସତର୍କତା ଜାରି କରିଛନ୍ତି। ନିର୍ବାଧ ବ୍ୟାଙ୍କିଙ୍ଗ ସେବା ପାଇବାକୁ ହେଲେ ଗ୍ରାହକଙ୍କୁ ତାଙ୍କ ଆୟକର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ)କୁ ଆଧାର ସହ ଲିଙ୍କ କରାଇବାକୁ କହିଛନ୍ତି। ଯାହା ଦ୍ୱାରା ଗ୍ରାହକ ଅବାଧ ବ୍ୟାଙ୍କିଙ୍ଗ ସେବା ପାଇପାରିବେ ବୋଲି କହିଛନ୍ତି।ଯଦି ଗ୍ରାହକ ଆଧାର ସହ ତାଙ୍କ ପାନ ସଂଯୋଗ ନ କରନ୍ତି ତେବେ ବ୍ୟାଙ୍କରୁ ଟଙ୍କା ଉଠାଣ ଆଉ ସମ୍ଭବ ହେବ ନାହିଁ ବୋଲି ସତର୍କ କରିଛନ୍ତି। ଏଥିରେ କେବଳ ଟଙ୍କା ଉଠାଣ ନୁହେଁ ଖାତାଧାରୀଙ୍କ ଅନେକ ସେବା ମଧ୍ୟ ବନ୍ଦ କରିଦିଆଯିବ ବୋଲି ସତର୍କ କରିଛନ୍ତି। ବ୍ୟାଙ୍କ ଗ୍ରାହକଙ୍କ ଲାଗି ତାଙ୍କର ଏହି ସତର୍କତା ଅଧିକାରୀ ଟ୍ୱିଟରରେ ଦେଇଛନ୍ତି। ଏଥିରେ ବ୍ୟାଙ୍କ ଗ୍ରାହକଙ୍କୁ ତାଙ୍କ ପାନ ଆଧାର ସହ ଲିଙ୍କ କରାଇବାକୁ ପରାମର୍ଶ ଦେଇଛନ୍ତି।

ଯଦି ଏହି ଲିଙ୍କ ନ କରାଯାଏ ତେବେ ପାନ ନିଷ୍କ୍ରିୟ ହୋଇଯିବ ବୋଲି କହିଛନ୍ତି। ଫଳରେ ବିଶେଷ ନେଣଦେଣ କ୍ଷେତ୍ରରେ ଗ୍ରାହକ ତାଙ୍କର ପାନ ଉପଯୋଗ କରିପାରିବେନି। ଦେଶରେ କରୋନା ଭାଇରସ ମହାମାରୀର ପ୍ରକୋପକୁ ଦେଖି କେନ୍ଦ୍ର ସରକାର ପାନ ଓ ଆଧାର ଲିଙ୍କର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ବଢାଇ ୩୧ ମାର୍ଚ୍ଚ ୨୦୨୨ କରିଦେଇଛନ୍ତି। ଏଣୁ ସମୟର ସୁବିଧା ନେବାକୁ ଏସବିଆଇ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି।

Spread the love