ଅଦାଲତଙ୍କ ନୋଟିସ ପରେ ଭୁଲ ସ୍ବୀକାର କଲା ଏସବିଆଇ
ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଋଣ ପୈଠ କରି ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରି ଦେଇଛନ୍ତି। କାରଣ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିଥିଲା ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଅଦାଲତ ଏସବିଆଇକୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି କି, ‘ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ଗଣାଯାଉଥିବା ଏସବିଆଇକୁ ସର୍ବପ୍ରଥମେ ଏହା ନିଶ୍ଚିତ କରିବାକୁ ପଡ଼ିବ କି ସେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ କରୁଛି ଉକ୍ତ ବ୍ୟକ୍ତି ଜୀବିତ ଅଛନ୍ତି ନା ତାଙ୍କର ମୃତ୍ୟୁ ହୋଇଯାଇଛି।’
ଜିଲ୍ଲାର ବିଚାରପତି ସୁରିନ୍ଦର ଏସ ରାଠି ସିୟା ନନ୍ଦଙ୍କ ବିରୋଧରେ ଋଣ ସହିତ ୧୩.୫୧ଲକ୍ଷ ଟଙ୍କାର ଋଣ ପୈଠ କରି ନଥିବା ନେଇ ଏସବିଆଇ ଦ୍ବାରା ଅଦାଲତରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଅଦାଲତ ପ୍ରଥମେ ବ୍ୟାଙ୍କର ଅଧିକାରୀମାନଙ୍କୁ କହିଥିଲା କି, ତୁମେ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛି ତାଙ୍କର ଯାଞ୍ଚ କର। ସେ ଏବେ କେଉଁଠି ଅଛନ୍ତି କ’ଣ କରୁଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ବ୍ୟାଙ୍କ ଅଧିକାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚରୁ ଜଣାପଡ଼ିଲା କି ବ୍ୟାଙ୍କ ତାର ଯେଉଁ ଗ୍ରାହକଙ୍କ ବିରୋଧରେ ଅଭିଯୋଗ କରି ମାମଲା ରୁଜୁ କରିଛି ସେହି ବ୍ୟକ୍ତିଙ୍କ ୨ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଥଛି।
ଏହାପରେ ଅଦାଲତ ଏଭଳି ମାମଲା ରୁଜୁ କରିଥିବାରୁ ଶାଖା ପରିଚାଳକଙ୍କୁ ନୋଟିସ ଜାରି କରିବାଥିଲା। ଏଥିସହିତ ମୁଖ୍ୟ ଅଧିକାରୀଙ୍କୁ ନୋଟିସ ପଠାଇ ଜବାବ ମାଗିଥିଲା କି ଜଣେ ମୃତ ବ୍ୟକ୍ତିଙ୍କ ବିରୋଧ ମାମଲା ରୁଜୁ କରିବାର ଉଦ୍ଦେଶ୍ୟ କ’ଣ ରହିଥିଲା ? ଏହାର ଉତ୍ତର ଦେଇ ବ୍ୟାଙ୍କ ନିଜର ଦୋଷ ସ୍ବୀକାର କରିଛି। ଏଭଳି ଅଭିଯୋଗ କରିଥିବା ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ବ୍ୟାଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଦାଲତଙ୍କୁ ପ୍ରତିଶ୍ରୃତି ଦେଇଛି।